ମାଣିକଙ୍କ ଟିମରେ ରହିଲେ ୯ ଜଣ ପୁରୁଣା, ଭର୍ତ୍ତି ହେଲେ ଦୁଇ ନୂଆ ବିଧାୟକ

ଅଗରତାଲା: ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବଦଳିବାର ଦିନକ ପରେ ଆଜି ୧୧ ଜଣ ବିଧାୟକଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ କରାଯାଇଛି | ମନ୍ତ୍ରିମଣ୍ଡଳରେ ବିପ୍ଳବଙ୍କ ସରକାରରେ ଥିବା ୯ ଜଣଙ୍କ ସହ ୨ ଜଣ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି | ସୂଚନା ଥାଉ କି ମାଣିକ ସାହା ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଆଜି ଅଗରତାଲାର ରାଜ ଭବନରେ ୧୧ ଜଣ ବିଧାୟକ ଶପଥ ନେଇଛନ୍ତି | ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି |

ନୂତନ ମନ୍ତ୍ରିମଣ୍ଡଳରେ ପୁରୁଣା ଚେହେରା ଭାବେ ଜିଷ୍ଣୁ ଦେବବର୍ମା, ରତନ ଲାଲ ନାଥ, ପ୍ରାଣଜିତ ସିଂ ରାୟ, ମନୋଜ କାନ୍ତି ଦେବ, ଶାନ୍ତନା ଚାକମା, ରାମ ପ୍ରସାଦ ପାଲ, ଭଗବାନ୍ ଚନ୍ଦ୍ର ଦାସ, ସୁଶାନ୍ତ ଚୌଧୁରୀ, ଏନସି ଦେବବର୍ମା ଥିବାବେଳେ ଦୁଇ ନୂତନ ମନ୍ତ୍ରୀଙ୍କ ମଧ୍ୟରେ ରାମପଡା ଜମାଟିଆ ଏବଂ ପ୍ରେମ କୁମାର ରେଙ୍ଗଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ସେହିପରି ପୂର୍ବଭଳି ଉପ-ମୁଖ୍ୟମନ୍ତ୍ରୀ ଭାବରେ ଜିଷ୍ଣୁ ବର୍ମା ରହିବେ। ଶପଥ ଗ୍ରହଣ ପରେ ରାମପଡା ଜମାଟିଆ କହିଛନ୍ତି ଯେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୨୩ ବିଧାନସଭା ନିର୍ବାଚନ ହେବ। ମୁଁ ବିଧାୟକ ଭାବରେ କାର୍ଯ୍ୟ କରିଛି ଏବଂ ବର୍ତ୍ତମାନ ମୋତେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ପଡିବ | ସୂଚନା ଥାଉ କି ୨୦୧୮ରେ ଯେତେବେଳେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ମନ୍ତ୍ରିମଣ୍ଡଳର ୧୨ଟି ପଦରୁ ୯ଟି ପୂରଣ ହୋଇଥିଲା। ଗତ ବର୍ଷ ଦେବ ତିନିଜଣ ନୂତନ ମନ୍ତ୍ରୀଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିଥିଲେ।

ସମ୍ବନ୍ଧିତ ଖବର