ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତଙ୍କ ଇସ୍ତଫା

ଡେରାଡୁନ : ଉତ୍ତରାଖଣ୍ଡରେ ଥିବା ବିଜେପି ସରକାରରେ ସଂକଟ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ଇସ୍ତଫା ଦେଇଛନ୍ତି । ଗତ କାଲି ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ।

ଆଜି ଅପରାହ୍ଣ ୪ଟା ବେଳେ ସେ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ନିଜର ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଉତ୍ତରାଖଣ୍ଡର ସେବା କରିବାକୁ ଦଳ ତାଙ୍କୁ ୪ ବର୍ଷ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଦେଇଥିଲା । ଦଳ ଏବେ ଏହି ସୁଯୋଗ ଅନ୍ୟ ଜଣେ ନେତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି ।

ଆସନ୍ତାକାଲି ଦିନ ୧୦ଟା ସମୟରେ ବିଜେପି ବିଧାୟକ ଦଳର ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ବସିବ । ବିଜେପି ନେତା ଧନ ସିଂ ରାଓ୍ବତ ମୁଖ୍ୟମନ୍ତ୍ରୀ ଦୈଡ଼ରେ ଆଗୁଆ ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜେପି ବିଧାୟକ ମୁନ୍ନା ସିଂ ଚୌହାନ କହିଛନ୍ତି ଯେ ପ୍ରାୟ ୫୬ ଜଣ ବିଜେପି ବିଧାୟକ ତ୍ରିଭେନ୍ଦ୍ରଙ୍କ ସମର୍ଥନରେ ଅଛନ୍ତି ।

ଉତ୍ତରାଖଣ୍ଡର କେତେକ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତଙ୍କ କାର୍ଯ୍ୟପ୍ରଣାଳୀରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ପରେ ଦଳ ପକ୍ଷରୁ ଗତ ସପ୍ତାହରେ ଦୁଇଜଣ କେନ୍ଦ୍ରୀୟ ନେତା ରମଣ ସିଂ ଓ ଦୁଷ୍ୟନ୍ତ ସିଂ ଚୌହାନଙ୍କୁ ଡେରାଡୁନ ପଠାଇଥିଲା । ସେମାନେ ଫେରି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନିଜର ରିପୋର୍ଟ ଦେଇଥିଲେ ।

ସମ୍ବନ୍ଧିତ ଖବର