ଭୁବନେଶ୍ବର: ଭାରତୀୟ ଘରୋଇ ଫୁଟ୍ବଲ୍ର ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିରେ ରବିବାର ଶେଷ ଲିଗ୍ ମ୍ୟାଚ୍ରେ ମେଘାଳୟ ସହ ପଏଣ୍ଟ ବାଣ୍ଟିଛି ଓଡ଼ିଶା। ଏହି ଅମୀମାଂସିତ ମ୍ୟାଚ୍ରୁ ୧ ପଏଣ୍ଟ ପାଇ ଓଡ଼ିଶା (୧୦ ପଏଣ୍ଟ୍) ଦ୍ବିତୀୟ ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିଥିଲା ବେଳେ ଏହାର ମୁଖ୍ୟ ରାଉଣ୍ଡ ଆଶା ଝୁଲି ରହିଛି। ଅନ୍ୟପକ୍ଷରେ ମେଘାଳୟ (୧୧ ପଏଣ୍ଟ) ଗ୍ରୁପ୍-ଇ’ର ଶୀର୍ଷ ସ୍ଥାନରେ ରହିବା ସହ ମୁଖ୍ୟ ରାଉଣ୍ଡ ସ୍ଥାନ ପକ୍କା କରିଛି। ୬ ଗ୍ରୁପ୍ର ଶୀର୍ଷ ୬ ଦଳ ସିଧାସଳଖ ଏବଂ ଶ୍ରେଷ୍ଠ ୩ ଦ୍ବିତୀୟ ଦଳ ମୁଖ୍ୟ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ। ଏହି ୯ ଦଳ ଏବଂ ସିଧାସଳଖ ଯୋଗ୍ୟତା ପାଇଥିବା ରେଳବାଇ ଓ ସର୍ଭିସେସ ଏବଂ ଆୟୋଜକ ସହ ୧୨ ଦଳକୁ ନେଇ ମୁଖ୍ୟ ରାଉଣ୍ଡ ଖେଳାଯିବ।
କ୍ୟାପିଟାଲ୍ ଫୁଟ୍ବଲ୍ ଏରିନାରେ ଓଡ଼ିଶା ଓ ମେଘାଳୟ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା। ପ୍ରଥମାର୍ଦ୍ଧର ଇନ୍ଜୁରି ଟାଇମ୍ରେ ମେଘାଳୟର ଆଲିନ କାମ୍ପର ଲିଙ୍ଗଡୋ ନୋଙ୍ଗବ୍ରି (୪୫+୧ ମିନିଟ୍)ଙ୍କ ଗୋଲ୍ରେ ମେଘାଳୟ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାର ଦୁଇ ମିନିଟ୍ ପରେ ଘରୋଇ ଦଳର ପ୍ରବୀଣ ଟିଗା (୪୫+୩ ମିନିଟ୍) ଏହି ଗୋଲ୍ଟି ଶୁଝି ସେହି ପ୍ରଥମାର୍ଦ୍ଧରେ ହିଁ ମ୍ୟାଚ୍ ସମାନ ସ୍ତରରେ ରଖିଥିଲେ। ଦ୍ବିତୀୟାର୍ଦ୍ଧରେ ଚନ୍ଦ୍ର ମୁଦୁଲି (୫୯ ମିନିଟ୍)ଙ୍କ ଗୋଲ୍ରେ ଓଡ଼ିଶା ୨-୧ରେ ଆଗୁଆ ହୋଇଯାଇଥିଲା। ୯୦ ମିନିଟ୍ ପର୍ଯ୍ୟନ୍ତ ଓଡ଼ିଶା ଆଗୁଆ ରହି ବିଜୟ ନିଶ୍ଚିତ କରିବାକୁ ଯାଉଥିଲା ବେଳେ ଇନ୍ଜୁରି ସମୟରେ ମେଘାଳୟ ଏହି ଗୋଲ୍ଟି ଶୁଝି ଦେଇଥିଲା। ଏଭରବ୍ରାଇଟ୍ସନ ସାନା ମିଲିମ୍ଫଦା (୯୦+୨ ମିନିଟ୍)ଙ୍କ ଏହି ଗୋଲ୍ ବଳରେ ମେଘାଳୟ ଓଡ଼ିଶା ହାତରୁ ପଏଣ୍ଟ୍ ଛଡ଼ାଇ ନେଇଥିଲା।
ସପ୍ତମ ବାଟାଲିଅନସ୍ଥିତ ଓଡ଼ିଶା ଫୁଟ୍ବଲ୍ ଏକାଡେମି ପଡ଼ିଆରେ ଖେଳାଯାଇଥିବା ଏହି ଗ୍ରୁପ୍ର ଅନ୍ୟ ମ୍ୟାଚ୍ରେ ସିକ୍କିମ ୩-୦ ଗୋଲ୍ରେ ତେଲେଙ୍ଗାନାକୁ ହରାଇଥିଲା। ସେହଭିଳି ମେଘାଳୟ ୫-୦ ଗୋଲ୍ରେ ପଣ୍ଡିଚେରୀକୁ ପରାସ୍ତ କରିଥିଲା। କ୍ୟାପିଟାଲ୍ ଫୁଟ୍ବଲ୍ ଏରିନାରେ ଖେଳାଯାଇଥିବା ଆଣ୍ଡାମାନ ଓ ନିକୋବର ଏବଂ ପଣ୍ଡିଚେରି ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥଲା।