ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ‘ସଂପାଦିତ’ ଭିଡିଓକୁ ଟୁଇଟ କରି ଫସିଲେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ

ଭୋପାଳ: ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କର ଏକ ‘ଟାମ୍ପର’ ବା ‘ସଂପାଦିତ’ ଭିଡିଓକୁ ଟୁଇଟ୍‌ କରିବା ଘଟଣା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏପରି ‘ସଂପାଦିତ’ ଭିଡିଓ ଟୁଇଟ୍‌ କରି କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏଥିରୁ ରାଜନୈତିକ ଫାଇଦା ହାସଲ କରିବାକୁ ଅପଚେଷ୍ଟା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ତାଙ୍କ ବିରୋଧରେ ଥାନାରେ ଏକ ମାମଲା ଆଗତ କରିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଯେଉଁ ‘ସଂପାଦିତ’ ଭିଡିଓଟିକୁ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ସେଥିରେ ଦେଖିବା ପାଇଁ ମିଳିଛି ଯେ ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ରାଜ୍ୟରେ ମଦ୍ୟପାନକୁ ପ୍ରୋତ୍ସାହିତ କରୁଛନ୍ତି। ତେବେ, ବିଜେପି ପକ୍ଷରୁ ଆଗତ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ପୂର୍ବରୁ ରାଜ୍ୟରେ ଯେତେବେଳେ କମଲନାଥଙ୍କ ନେତୃତ୍ୱାଧୀନ ସରକାର ଥିଲା ସେତେବେଳେ ସେମାନେ ରାଜ୍ୟରେ ମଦର ପ୍ରସାର ଘଟାଇବାକୁ ରାଜ୍ୟର ଅବକାରୀ ନୀତିକୁ ପରିବର୍ତ୍ତନ କରିଥିଲେ। ସେତେବେଳେ ଏହି ଘଟଣାକୁ ବିରୋଧ କରି ବିଜେପି ନେତା ଶିବରାଜ ସିଂହ ଚୌହାନ ଏହି ଭିଡିଓଟିକୁ ଛାଡ଼ିଥିଲେ। କିନ୍ତୁ, ଏବେ ସେହ ଭିଡିଓ କ୍ଲିପ୍‌କୁ ‘ସଂପାଦିତ’ କରି କଂଗ୍ରେସ ଏହାକୁ ବିଜେପି ବିରୋଧରେ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। 

Dailyhunt

ଏହି ଭିଡିଓଟି ରବିବାର ଅପରାହ୍ନରେ ଦିଗବିଜୟ ସିଂହଙ୍କ ଅଫିସିଆଲ୍‌ ଟ୍ଵିିଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିଲା। ଏବଂ ପରେ ଅନ୍ୟ ୧୦ ଜଣଙ୍କ ଦ୍ୱାରା ଏହାର ପୁନଃ ଟୁଇଟ୍‌ କରାଯାଇଥିଲା। ତେବେ, ଏହାକୁ କେନ୍ଦ୍ର କରି ମାମଲା ଥାନାକୁ ଯିବାପରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏହି ଟୁଇଟ୍‌ଟିକୁ ଡିଲିଟ୍‌ କରି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଦିଗ୍‌ବିଜୟ ସିଂହ ଏହି ଭିଡିଓକୁ ଜାଣିଶୁଣି ସେୟାର କରିଛନ୍ତି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର