ହାଇଦ୍ରାବାଦ: କାମାରେଡ୍ଡୀ ଆସନରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓରଫ୍‌ ‘କେସିଆର୍‌’ ରାଜ୍ୟ କଂଗ୍ରେସ ମୁଖ୍ୟ ଏ. ରେବାନାଥ ରେଡ୍ଡୀଙ୍କଠାରୁ ୨୧୦୦ ଭୋଟ୍‌ରେ ପଛୁଆ ଥିବା କଥା ଅପରାହ୍ଣ ୧୨.୦୫ ସୁଦ୍ଧା ହୋଇଥିବା ଗଣନାରୁ ଜଣାପଡ଼ିଛି। ଦୁଇଟି ଆସନରୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରିବା ତାଙ୍କ ପାଇଁ ଅସୁବିଧା ହେଲା ବୋଲି କୁହାଯାଉଛି।

Advertisment

ଦୁଇଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ‘ଭାରତ ରାଷ୍ଟ୍ର ସମିତି’ (ବିଆର୍‌ଏସ୍‌) ମୁଖ୍ୟ ‘କେସିଆର୍‌’ ଗଜବେଲ୍‌ ଆସନରେ ‘ବିଜେପି’ ପ୍ରାର୍ଥୀ ଇଆତାଲା ରାଜେନ୍ଦ୍ରଙ୍କଠାରୁ ୩,୦୦୦ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି କଂଗ୍ରେସର ତୂମକୁନ୍ତ ନର୍ସା ରେଡ୍ଡୀ।

କାମାରେଡ୍ଡୀ ଆସନରେ ‘ବିଜେପି’ର କୈପାଲ୍ଲୀ ଭେଙ୍କଟ ରମନା ରେଡ୍ଡୀ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି, ‘ବିଜେପି’ର ବନ୍ଦି ସଞ୍ଜୟ କୁମାର କରିମନଗର ନିର୍ବାଚନ ମଣ୍ଡଳୀରେ ‘ବିଆର୍‌ଏସ୍‌’ ପ୍ରାର୍ଥୀ ଗଙ୍ଗୁଳା କମଳାକରଙ୍କଠାରୁ ୨,୨୦୦ ଭୋଟ୍‌ରେ ପଛୁଆ ଥିବା କଥା ୬ଷ୍ଠ ପର୍ଯ୍ୟାୟ ଭୋଟ୍‌ ଗଣନାରୁ ଜଣାପଡ଼ିଛି।

ସାମ୍ପ୍ରତିକ ଟ୍ରେଣ୍ଡ୍‌ରୁ ଜଣାପଡ଼ିଛି ଯେ, ୧୧୯ ସଦସ୍ୟବିଶିଷ୍ଟ ବିଧାନସଭାରେ କଂଗ୍ରେସ ୭୦ ଆସନରେ ଅଗ୍ରଣୀ ଥିବା ବ‌େଳେ ‘ବିଆର୍‌ଏସ୍‌’ ୩୬ଟି ଆସନରେ ଅଗ୍ରଣୀ ରହିଛି।

ତେଲେଙ୍ଗାନା କଂଗ୍ରେସ ସାଂସଦ ଉତ୍ତମ କୁମାର ରେଡ୍ଡୀ କହିଛନ୍ତି, କଂଗ୍ରେସ ସରକାର ଗଢ଼ିବ। ତେଲେଙ୍ଗାନାବାସୀଙ୍କ ହୃଦୟରେ କଂଗ୍ରେସ ଲାଗି ବିଶେଷ ଶ୍ରଦ୍ଧା ରହିଛି। ୨୦୧୪ ଓ ୨୦୧୮ ନିର୍ବାଚନରେ ଆମେ ଭୁଲ୍‌ କରିପକାଇଥିଲୁ। ଏଥର ଆମେ ନିଜକୁ ସୁଧାରି ନେଇଥିବାରୁ ବିଜୟ ପଥରେ ଅଗ୍ରସର ହେଉଛୁ। ଆମ ବିଜୟର ଦ୍ବିତୀୟ କାରଣ ହେଉଛି, ‘ବିଆର୍‌ଏସ୍‌’ ସରକାରର ଅପାରଗତା, ଅହଙ୍କାର ଓ ଦୁର୍ନୀତି।