ଟିଆର୍‌ପି ଦୁର୍ନୀତି ମାମଲା: ଗତ ନଭେମ୍ବରରୁ କୋଟିଏ ଟଙ୍କା ଜମାଖାତାକୁ ଆସିଛି

ଟିଆର୍‌ପି ଦୁର୍ନୀତିରେ ଲିପ୍ତ ଜଣେ ଗିରଫ

ନୂଆଦିଲ୍ଲୀ: ଟେଲିଭିଜନ ରେଟିଂ ପଏଣ୍ଟ୍‌ (ଟିଆର୍‌ପି)କୁ ଏପଟସେପଟ କରିଥିବା ଅଭିଯୋଗରେ ମୁମ୍ବାଇର ବୋମାପାଲିରାଓ ମିସ୍ତ୍ରିଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣ ଗିରଫ ହୋଇଥିବା ଜଣାଯାଇଛି। ବିଶେଷ କରି ତିନିଟି ଟିଭି ଚାନେଲ ଦେଖିବାକୁ ଲୋକମାନଙ୍କୁ ମିସ୍ତ୍ରିଙ୍କ ସହଯୋଗୀମାନେ ପ୍ରବର୍ତ୍ତାଉଥିଲେ। ଗତ ଦେଢ଼ ବର୍ଷ ହେଲା ମିସ୍ତ୍ରିଙ୍କର କୌଣସି ରୋଜଗାର ନଥିବା ବେଳେ ପୁଲିସ ତାଙ୍କ ବ୍ୟାଙ୍କ ଲକରରୁ ସାଢ଼େ ୮ ଲକ୍ଷ ଟଙ୍କା ଜବତ କରିଛି। ସେହିପରି ୨୦ ଲକ୍ଷ ଟଙ୍କା ଗଚ୍ଛିତ ଥିବା ତାଙ୍କ ବ୍ୟାଙ୍କ ଜମାଖାତାକୁ ମଧ୍ୟ ପୁଲିସ ଜବତ କରିଛି। ଅପରପକ୍ଷେ, ଗତ ନଭେମ୍ବର ମାସରୁ ଅଭିଯୁକ୍ତ ମିସ୍ତ୍ରିଙ୍କ ବ୍ୟାଙ୍କ ଜମାଖାତାକୁ ଚାରି ପାଞ୍ଚ ଜଣଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଆସିଥିବା ପୁଲିସ ଜାଣିବାକୁ ପାଇଛି। ପ୍ରତି ଦୁଇ ମାସ ଅନ୍ତରରେ ଏପରି ପାଞ୍ଚରୁ ଛଅ ଥର ୨୦ରୁ ୨୫ ଲକ୍ଷ ଟଙ୍କା ଯାଏ ମିସ୍ତ୍ରିଙ୍କ ଜମାଖାତାରେ ଜମା କରାଯାଉଥିବା ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି। ସୂଚନା ଥାଉ କି, ଏପରି ଟିଆର୍‌ପି ଏପଟସେପଟ କରିବାରେ ରିପବ୍ଲିକ୍‌ ଟିଭି, ଫକ୍ତ ମରାଠୀ ଏବଂ ବକ୍ସ ସିନେମା ଆଦି ତିନିଟି ଟିଭି ଚାନେଲ୍‌ର ଭୂମିକା ରହିଥିବା ଅଭିଯୋଗର ତଦନ୍ତ କ୍ରାଇମ ବ୍ରାଞ୍ଚ ପୁଲିସ ଦ୍ବାରା ଜାରି ରହିଛି।

ହାଜର ହେଲେ ରିପବ୍ଲିକ ଟିଭି ସିଇଓ, ସିଓଓ
ନୂଆଦିଲ୍ଲୀ: ଟିଆର୍‌ପି ଦୁର୍ନୀତି ମାମଲାରେ ଆଜି ରିପବ୍ଲିକ୍‌ ଟିଭିର ସିଇଓ ଏବଂ ସିଓଓ ମୁମ୍ବାଇ ପୁଲିସ ନିକଟରେ ହାଜର ହୋଇଛନ୍ତି। ମୁମ୍ବାଇ ପୁଲିସ ଗତକାଲି ରିପବ୍ଲିକ ଟିଭିର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ବିକାଶ ଖାନ୍‌ଚନ୍ଦାନୀ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ହର୍ଷ ଭଣ୍ଡାରିଙ୍କୁ ସମନ ଜାରି କରିଥିଲା।

ସମ୍ବନ୍ଧିତ ଖବର