ଟିଆର୍‌ପି ଦୁର୍ନୀତି ମାମଲା: ରିପବ୍ଲିକ୍‌ ଟିଭିର ଆବେଦନ ଗ୍ରହଣ କଲେନି ସୁପ୍ରିମକୋର୍ଟ

ହାଇକୋର୍ଟ ଯିବା ପାଇଁ ପରାମର୍ଶ ଦେଲେ

ମୁମ୍ବାଇ: ଟିଆର୍‌ପି ଦୁର୍ନୀତି ନେଇ ରିପବ୍ଲିକ୍‌ ଟିଭି ବିରୋଧରେ ଆସିଥିବା ଅଭିଯୋଗର ସିବିଆଇ ତଦନ୍ତ ଦାବି କରି ରିପବ୍ଲିକ୍‌ ଟିଭି ପକ୍ଷରୁ ସୁପ୍ରିମକୋର୍ଟ‌୍‌ରେ ଏକ ପିଟିସନ୍‌ ଦାଖଲ ହୋଇଥିଲା। କିନ୍ତୁ କୋର୍ଟ ଆଜି ଏହି ପିଟିସନ୍‌କୁ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି। କୋର୍ଟ କହିଛନ୍ତି ଚ୍ୟାନେଲ୍‌ ପକ୍ଷରୁ ପୁର୍ବରୁ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଛି। ହାଇକୋର୍ଟରେ ଏହି ମାମଲାରେ ଶୁଣାଣି ହେବା ପୂର୍ବରୁ ଯଦି ଆମେ ଏହି ମାମଲାର ଶୁଣାଣି କରୁ ତେବେ ଏହା ବାର୍ତ୍ତା ଯିବ ଯେ, ଆମେ ହାଇକୋର୍ଟଙ୍କ ଉପରେ ବିଶ୍ବାସ କରୁନାହୁଁ। ତେଣୁ ଅନ୍ୟ ନାଗରିକଙ୍କ ପରି ଚ୍ୟାନେଲ୍ ପ୍ରଥମେ ହାଇକୋର୍ଟ ଯିବା ଉଚିତ୍‌ ବୋଲି ସୁପ୍ରିମକୋର୍ଟ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ କହିଛନ୍ତି।

ଏହ‌ାପରେ ରିପବ୍ଲିକ୍‌ ଟିଭି ପକ୍ଷରୁ ସୁପ୍ରିମକୋର୍ଟରୁ ଆବେଦନକୁ ପ୍ରତ୍ୟାହାର କରି ନିଆଯାଇଛି। ଅନ୍ୟପକ୍ଷେ ମୁମ୍ବାଇ ପୁଲିସ ପକ୍ଷରୁ ରିପବ୍ଲିକ୍‌ ଟିଭି ଦ୍ବାରା ଦାଖଲ ହୋଇଥିବା ପିଟିସନ୍‌କୁ ବିରୋଧ କରାଯାଇଛି। ଚ୍ୟାନେଲ୍‌ ଦ୍ବାରା ଉକ୍ତ ମାମଲାରେ ପୁଲିସ ତଦନ୍ତକୁ ପଣ୍ଡ କରିବାପାଇଁ ଉଦ୍ୟମ ହେଉଛି ବୋଲି ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଥିଲା। ମୁମ୍ବାଇ ପୁଲିସ ମଧ୍ୟ ସୁପ୍ରିମକୋର୍ଟରେ ଗତକାଲି ରାତିରେ ଅନ୍ୟ ଏକ ଅତିରିକ୍ତ ପିଟିସନ୍‌ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର