ଟିଆର୍‌ପି ସ୍କାମ୍‌ : ପୁଲିସ ହେପାଜତକୁ ଗଲେ ୪ ଅଭିଯୁକ୍ତ

ରିପବ୍ଲିକ୍‌ ଟିଭି ସିଏଫ୍‌ଓଙ୍କୁ ସମନ୍

ନୂଆଦିଲ୍ଲୀ : ଟିଆର୍‌ପି ଦୁର୍ନୀତି ମାମଲାରେ ଫକ୍‌ତ ମରାଠି ଏବଂ ବକ୍ସ ସିନେମା ଚ୍ୟାନେଲ୍‌ର ମାଲିକଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଆସନ୍ତା ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଯାଇଛି। ଅଭିଯୁକ୍ତମାନଙ୍କୁ ବିଶାଲ୍‌ ଭଣ୍ଡାରୀ, ବମ୍ପାଲ୍ଲି ରାଓ, ନାରାୟଣ ଶର୍ମା (ବକ୍ସ ସିନେମା ମାଲିକ), ଶିରିଶ ଶେଟ୍ଟି (ଫକ୍‌ତ ମରାଠି ମାଲିକ) ବୋଲି ଚିହ୍ନଟ କରାଯାଇଛି। ଟିଆର୍‌ପି ହେରଫେ‌ର୍‌ ମାମଲାରେ ଉପରୋକ୍ତ ଅଭିଯୁକ୍ତ ସମସ୍ତଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ ଗତକାଲି ଟିଆର୍‌ପି ଦୁର୍ନୀତି ମାମଲାର ପର୍ଦ୍ଦାଫାସ କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀ କରି ପରମବୀର ସିଂହ ଟିଆର୍‌ପି ଦୁର୍ନୀତି ସଂକ୍ରାନ୍ତରେ କହିଥିଲେ। ଏହି ମାମଲାରେ ଅର୍ନବ ଗୋସ୍ବାମୀଙ୍କୁ ମଧ୍ୟ ସମନ୍‌ କରାଯିବ ବୋଲି ସେ କହିଥିଲେ। ତେବେ ରିପବ୍ଲିକ୍‌ ଟିଭି ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ମୁମ୍ବାଇ ପୁଲିସ କମିସନରଙ୍କ ବିରୋଧରେ ରିପବ୍ଲିକ୍‌ ଟିଭି ପକ୍ଷରୁ ଅପରାଧିକ ମାନହାନି ମାମଲା ରୁଜୁ ହେବ ବୋଲି କୁହାଯାଇଛି। ଉକ୍ତ ଘଟଣାରେ ପରବର୍ତ୍ତୀ ତଦନ୍ତ ଜାରି ରହିଛି ଏବଂ ମୁମ୍ବାଇ ପୁଲିସ ଏହି ମାମଲାରେ ଅଧିକରୁ ଅଧିକ ଲୋକଙ୍କୁ ଜେରା କରିବ।

ମୁମ୍ବାଇ ପୁଲିସ ଆଜି ଟିଆର୍‌ପି ହେରଫେର ମାମଲାରେ ରପବ୍ଲିକ୍‌ ଟିଭି ସିଏଫ୍‌ଓଙ୍କୁ ସମନ୍‌ କରିଛି। ଆସନ୍ତାକାଲି ରିପବ୍ଲିକ୍‌ ଟିଭି ସିଏଫ୍‌ଓ ସୁନ୍ଦରମ୍‌ ଏସ୍‌ଙ୍କୁ ହାଜର ହେବାପାଇଁ କୁହାଯାଇଛି। ରିପବ୍ଲିକ୍‌ ସମେତ ୩ ଚ୍ୟାନେଲ୍‌ ପାଇଁ ବିଜ୍ଞାପନ ପରିଚାଳନା କରୁଥିବା ସଂସ୍ଥାର ଅଧିକାରୀମାନଙ୍କୁ ମଧ୍ୟ ସମନ୍‌ କରାଯାଇଛି। ଅନ୍ୟପକ୍ଷେ ମୁମ୍ବାଇ ପୁଲିସ ମଧ୍ୟ ରିପବ୍ଲିକ୍‌ ଟିଭି ବିରୋଧରେ ପ୍ରମାଣ ଯୋଗାଡ଼ କରିଛି। ଟିଆର୍‌ପି ଦୁର୍ନୀତି ମାମଲାରେ ଜଣେ ସାକ୍ଷୀ ଦାବି କରିଛନ୍ତି ଯେ, ଜାନୁଆରି ୨୦୧୯ରେ ତାଙ୍କୁ ଜଣେ ବ୍ୟକ୍ତ ରିପବ୍ଲିକ୍‌ ଟିଭି ଦେଖିବାପାଇଁ ଅନୁରୋଧ କରିଥିଲେ। ଟିଆର୍‌ପି ଗଣନା ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ତାଙ୍କ ଘରେ ବାରୋମିଟର ଲଗାଇବାପାଇଁ କହିଥିଲେ ବୋଲି ସେ କହିଛନ୍ତି। ଏଥିପାଇଁ ତାଙ୍କୁ ମାସକୁ ୪୦୦ ଟଙ୍କା ମିଳିବ ବୋଲି ମଧ୍ୟ କୁହାଯାଇଥିଲା।

ସମ୍ବନ୍ଧିତ ଖବର