ନୂଆଦିଲ୍ଲୀ: ବହିଷ୍କୃତ ଆଇଏଏସ୍ ଟ୍ରେନି ଅଫିସର ପୂଜା ଖେଦକରଙ୍କ ମା’ ମନୋରମା ଖେଦକରଙ୍କ ବିରୋଧରେ ପୁଣେ ସିଟି ପୁଲିସ ଆଜି ଏକ ମାମଲା ରୁଜୁ କରିଛି। ବିଏନ୍ଏସ୍ (ଭାରତୀୟ ନ୍ୟାୟ ସଂହିତା)ର ଧାରା ୨୨୧, ୨୩୮ ଏବଂ ୨୬୩ ଅଧୀନରେ ମନୋରମାଙ୍କ ବିରୋଧରେ ମାମଲା ହୋଇଛି। ନାଭି ମୁମ୍ବାଇର ଏକ ବେପରୁଆ ଗାଡ଼ି ଚାଳନା ଘଟଣା ସହ ଏହି ମାମଲା ଜଡ଼ିତ। ୨ ଜଣ ଦୁର୍ବୃତ୍ତ ଜଣେ ଟ୍ରକ ଡ୍ରାଇଭରଙ୍କୁ ଅପହରଣ କରି ପୁଣେ ସ୍ଥିତ ମନୋରମାଙ୍କ ବାସଭବନ ନେଇଥିଲେ। ଅପହରଣ ଘଟଣାର ତଦନ୍ତ କରିବା ପରେ ନାଭି ମୁମ୍ବାଇ ପୁଲିସ ଅପହରଣରେ ଜଡ଼ିତ ଗାଡ଼ିକୁ ଚିହ୍ନଟ କରି ଖେଦକରଙ୍କ ବାସଭବନରେ ପହଞ୍ଚିଥିଲା। ପୁଲିସ ଟିମ୍ ଘର ଭିତରକୁ ପଶିବାକୁ ଚେଷ୍ଟା କରିବା ସମୟରେ ମନୋରମା ପୁଲିସକୁ ବିରୋଧ କରି ଅଭିଯୁକ୍ତକୁ ଖସାଇବାରେ ସହଯୋଗ କରିଥିଲେ। ପୁଲିସ ଏବେ ମନୋରମାଙ୍କୁ ଜେରା ପାଇଁ ରାବାଲେ ଥାନାରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛି।
ପୁଲିସ ଅଧିକାରୀଙ୍କ ଅନୁଯାୟୀ ଅପହୃତ ଟ୍ରକ୍ ଡ୍ରାଇଭର ହେଉଛନ୍ତି ୨୨ ବର୍ଷୀୟ ପ୍ରହ୍ଲାଦ କୁମାର। ପୁଲିସ ତାଙ୍କୁ ମନୋରମାଙ୍କ ବାସଭବନରୁ ଉଦ୍ଧାର କରିଥିଲା। ମୁମ୍ବାଇ ବାସିନ୍ଦା କୁମାର ଏହାପରେ ଏକ ଅଭିଯୋଗ ଦାଏର କରିଛନ୍ତି। ଖେଦକରଙ୍କ ବାସଭବନରେ ତାଙ୍କୁ ବନ୍ଦୀ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁଯାୟୀ କୁମାରଙ୍କ ଟ୍ରକ୍ ମୁଲୁନ୍ଦ -ଐରୋଲି ରୋଡ୍ରେ ଏକ ଟୟୋଟା ଗାଡ଼ି ସହ ଧକ୍କା ହେବାପରେ ଏହି ଘଟଣା ଘଟିଛି। ଟୟୋଟା ଗାଡ଼ିଟି ପୂଜା ଖେଦକରଙ୍କ ପାରିବାରିକ ବ୍ୟବସାୟ ସହ ଜଡ଼ିତ ଏକ କମ୍ପାନି ନାଁରେ ରହିଛି। ଗାଡ଼ିରେ ଥିବା ୨ ଜଣ ବ୍ୟକ୍ତି ଆସି ଟ୍ରକ୍ ଡ୍ରାଇଭରଙ୍କୁ ସେମାନଙ୍କ ଗାଡ଼ିରେ ବସାଇଥିଲେ ଏବଂ ୧୫୦ କିମି ନେଇ ଯାଇଥିଲେ।