ମାନବିକତାର ହତ୍ୟା: ଟ୍ରକରେ ଚାଲିଗଲା ପ୍ରବାସୀଙ୍କ ଜୀବନ, ୩ ନାବାଳିକା ଝିଅ ସହ ମୃତଦେହକୁ ରାସ୍ତା କଡରେ ଛାଡି ଚାଲିଗଲା ଟ୍ରକ ଚାଳକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଅମାନବିକତାର ସବୁ ସୀମା ଟପିଯାଇଛନ୍ତି ଟ୍ରକ ଚାଳକ | କରୋନା ସଙ୍କଟ ସମୟରେ ମଣିଷ ପରସ୍ପରକୁ ସାହାଯ୍ୟ କରିବା ଦରକାର ବୋଲି ସରକାର କହିଆସୁଥିବା ବେଳେ ଏହି ଘଟଣା ପୁଣି ଥରେ ମାନବିକତାକୁ ଲଜ୍ଜିତ କରିଛି | ମୁମ୍ବାଇରୁ ଉତ୍ତରପ୍ରଦେଶର ଆଜମଗଡକୁ ଟ୍ରକ ଯୋଗେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକ ଅଧା ରାସ୍ତାରେ ମୃତ୍ୟୁବରଣ କରିଥିବା ଜାଣି ଟ୍ରକଚାଳକ ଜଣକ ରାସ୍ତା କଡରେ ଶବ ରଖି ଫେରାର ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |

ଜଣେ ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଟ୍ରକ ଡ୍ରାଇଭର ମଧ୍ୟପ୍ରଦେଶର ଶିବପୁରୀରେ ଥିବା କରରା ନିକଟ ରାସ୍ତା କଡ଼ରେ ପ୍ରବାସୀ ଶ୍ରମିକଙ୍କ ଶବ ରଖି ଫେରାର ହୋଇଯାଇଥିଲେ | ଶ୍ରମିକଙ୍କ ସହିତ ତାଙ୍କର ତିନୋଟି ନାବାଳିକା ଝିଅ ମଧ୍ୟ ଥିଲେ। କରରାର ତହସିଲଦାର ଗୌରୀ ଶଙ୍କର ବେୟାରୱା କହିଛନ୍ତି ଯେ, ଏହି ଶ୍ରମିକ ମୁମ୍ବାଇରୁ ଉତ୍ତରପ୍ରଦେଶର ଆଜମଗଡକୁ ଟ୍ରକ ଯୋଗେ ଯାଉଥିଲେ ଏବଂ ପରେ ସେ ରାସ୍ତାରେ ମୃତ୍ୟୁବରଣ କରିଥିଲେ। ଟ୍ରକ ଡ୍ରାଇଭର ତାଙ୍କ ମୃତଦେହକୁ କରରା ନିକଟ ରାସ୍ତା କଡ଼ରେ ଛାଡି ପଳାଇ ଯାଇଥିଲେ। ପରେ ସ୍ଥାନୀୟ ଲୋକ ଦେଖିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା |

ସମ୍ବନ୍ଧିତ ଖବର