ରାଞ୍ଚି: ନିଜେ ବୁଡ଼ି ଚାଳକର ଜୀବନ ବଞ୍ଚାଇଦେଲେ। ଗଭୀର ପାଣି ଭିତରେ ପୂରା ଶରୀର ବୁଡ଼ିଯାଇଥିଲେ ବି ଚାଳକକୁ ବୁଡ଼ିବାକୁ ଦେଇନଥିଲେ, ଯାହା ଫଳରେ ଏକ ପରିବାର ଉଜୁଡ଼ିବାରୁ ବଞ୍ଚିଗଲା। ଏଠାରେ ଆମେ କୌଣସି ମଣିଷ ବା ପ୍ରାଣୀର କଥା କହୁନାହୁଁ, ଏଠାରେ ଆମେ ଏକ ନିର୍ଜିବ ଟ୍ରକ୍ ବିଷୟରେ କହୁଛୁ। ୪୦ଫୁଟ୍ ତଳକୁ ଟ୍ରକ୍ ଖସି ପଡ଼ିବା ପରେ ଏକ ନଦୀରେ ଯାଇ ପଡ଼ିଥିଲା। ଗଭୀର ପାଣିର ସୁଅରେ ଟ୍ରକ୍ ଓଲଟି ପଡ଼ିବା ପରେ ଚାଳକଜଣକ ବାହାରକୁ ବାହାରି ଆସି ଟାୟାର ଉପରେ ବସିପଡ଼ିଥିଲେ। ଦୀର୍ଘ କିଛି ଘଣ୍ଟା ବସିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଜଣାପଡ଼ିଛି। ଚାଳକଙ୍କ ନାମ ହେଲା ଅକିଲ୍ ନୱାଜ୍ ଖନ୍ନା।
ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ଅକିଲ ନୱାଜ ଖାନା ଗୋଡ୍ଡା ଜିଲ୍ଲାରୁ ପାଇପ୍ ବୋଝେଇ ଏକ ଟ୍ରକ୍ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହା ପରେ ଟ୍ରକ୍ଟି ୪୦ଫୁଟ୍ ତଳେ ଥିବା ନଦୀରେ ଯାଇ ପଡ଼ିଥିଲା। ଅକିଲ୍ ତୁରନ୍ତ ଗାଡ଼ି ଭିତରୁ ବାହାରି ଆସି ଟ୍ରକର ଟାୟାରରେ ବସିପଡ଼ିଥିଲେ। ରାତି ହୋଇଥିବାରୁ କେହି ତାଙ୍କୁ ଦେଖିପାରିନଥିଲେ। ପରିସ୍ଥିତି ଦେଖି ଅକିଲ୍ ସାହାଯ୍ୟ ପାଇଁ ଚିତ୍କାର କରିବା ଆରମ୍ଭ କରିଥିଲେ। ତାଙ୍କ ପାଟି ଶୁଣି ନଦୀ କୂଳରେ ଥିବା ଜଣେ ଯୁବକ ଟର୍ଚ୍ଚ ମାରିଥିଲେ। ଏହ ଦେଖି ଅକିଲ୍ ମଧ୍ୟ ଟର୍ଚ୍ଚ ମାରିଥିଲେ। କେହି ଜଣେ ନଦୀରେ ଫସିଥିବା ଜାଣିବା ପରେ ଯୁବକଜଣକ ପୁଲିସକୁ ଖବର ଦେଇଥିଲେ । ଏସବୁ ଭିତରେ ୪ଘଣ୍ଟା ବିତିଯାଇଥିଲା। ୪ଘଣ୍ଟା କାଳ ସେ ଟାୟାର ଉପରେ ବସିରହିଥିବା ବେଳେ ଭୋର୍ ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା।
ପୁଲିସର କହିବା ମୁତାବକ, ରାସ୍ତା ଓଦା ଥିବାରୁ ଟ୍ରକ୍ ଚକା ଖସିଥିଲା, ଯାହା ଫଳରେ ସେ ନଦୀକୁ ଖସିପଡ଼ିଥିଲେ। ଆମେ ୨ଘଣ୍ଟା କାଳ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ପ୍ରଖର ସ୍ରୋତ ପାଇଁ ଏହା ସମ୍ଭବ ହେଲା ନାହିଁ। ଶେଷରେ ଆମେ ଉଦ୍ଧାରକାରୀ ଟିମ୍କୁ ଡାକିଥିଲୁ।