ଅଟୋ ଉପରେ ମାଡ଼ିଗଲା ଟ୍ରକ୍‌: ୭ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ‌ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ୮ ଜଣ ସ୍କୁଲ ଛାତ୍ରଙ୍କୁ ଧରି ଯାଉଥିବା ଏକ ଅଟୋ ଉପରେ ଆଜି ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ପୁଲିସ ସୂଚନାନୁଯାୟୀ ଅଟୋ ଡ୍ରାଇଭର ପିଲାମାନଙ୍କୁ ସ୍କୁଲରୁ ସେମାନଙ୍କ ଘରକୁ ନେଉଥିବା ବେଳେ କାଙ୍କେର ଜିଲ୍ଲାର କୋରେର ଚିଲହାଟି ଛକ ନିକଟରେ ଏହାକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଅଟୋଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା।

ପୁଲିସ ଟିମ୍‌ ଘଟଣାସ୍ଥଳ‌ରେ ପହଞ୍ଚି ୩ ଜଣ ଛାତ୍ର ଏବଂ ଅଟୋ ଡ୍ରାଇଭରଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜ‌ଣେ ଛାତ୍ର ଏବଂ ଅଟୋ ଡ୍ରାଇଭରଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଅଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। କାଙ୍କେର ଏସ୍‌ପି ସଲାଭ ସିହ୍ନା କହିଛନ୍ତି, ଭିଲାଇ ନେୟାର ସମାଜମ ସ୍କୁଲରେ ଅଧ୍ୟୟନ କରୁଥିବା ୮ ଜଣ ଛାତ୍ର ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଟ୍ରକ୍‌ ଡ୍ରାଇଭରର ଅନିୟନ୍ତ୍ରିତ ଗାଡ଼ିଚାଳନା ଏଭଳି ଦୁର୍ଘଟଣାର କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର