ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ତିନିଜଣ ମହିଳା ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜଗଡ଼ ଜିଲ୍ଲାର ସାରଙ୍ଗପୁରରେ ବସବାସ କରୁଥିବା ସାକ୍ୟ ପରିବାର ଅଲଟୋ କାର(ଏମ.ପି.୦୯ସି.କେ ୪୧୯୪)ରେ ଭିଣ୍ଡ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ଏକ ଅଳିଆଭର୍ତ୍ତି ଟ୍ରକ ଭାରସାମ୍ୟ ହରାଇ କାର ଉପରେ ଓଲଟି ପଡ଼ିଥିଲା।
ଏହି ଦୁର୍ଘଟଣା ଦେଖି ସ୍ଥାନୀୟଲୋକେ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଦୌଡ଼ି ଆସି କାର ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସହିତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ଜରିଆରେ ଟ୍ରକକୁ ରାସ୍ତାରୁ ହଟାଇ ଥିଲା। ଏହାପରେ ମୃତଦେହକୁ ଜବତ କରିବା ସହିତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମୃତକଙ୍କ ମଧ୍ୟରେ ରାମପ୍ରକାଶ, ଜୟ ଦେବୀ, ରୋଶନି ଓ ଗୀତା ରହିଛନ୍ତି।
ଏହି ଦୁର୍ଘଟଣା ପରେ କାର ଚଲାଉଥିବା ସୁମିତ କହିଛନ୍ତି, ‘ଜେସିବି ଦୁର୍ଘଟଣାଗସ୍ତ ହେବା ଦେଖି ମୁଁ କାରକୁ ସାଇଟ କରି ରାସ୍ତାକୁ ଆଣୁଥିବା ସମୟରେ ପଛରୁ ଦ୍ରୁତଗତିରେ ଆସୁଥିବା ଟ୍ରକ କାରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।ଟ୍ରକ ଚାଳକ ପଛରୁ ଆସୁଥିବା ସମୟରେ ହର୍ଣ୍ଣ କି ବ୍ରେକ ଦେଇ ନଥିଲେ। ଏତଦ ବ୍ୟତୀତ ସେ ମୋତେ ଭୁଲ ଦିଗରୁ ଓଭର ଟେକ କରିବାକୁ ଚେଷ୍ଟା କରୁଥିବାରୁ ଏହି ଦୁର୍ଘଟଣା ଘଟିଥିଲା।