ଘନ କୁହୁଡି ପାଇଁ ଘଟିଲା ଦୁର୍ଘଟଣା; ୩ ପୁଲିସ୍ ଜିଅନ୍ତା ଜଳିଗଲେ

ପାଟନା: ବିହାରର ପାଟନାରେ ମଙ୍ଗଳବାର ଭୋରରେ ଘନ କୁହୁଡି ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଛି ଯେଉଁଥିରେ ୩ ଜଣ ପୁଲିସକର୍ମୀ ଜିଅନ୍ତା ଜଳି ପ୍ରାଣ ହରାଇଛନ୍ତି ଓ ୨ ଜଣଙ୍କ ଅବସ୍ଥା ଗମ୍ଭୀର ଅଛି । ରିପୋର୍ଟ ଅନୁସାରେ ଗର୍ଦନିବାଗ ପୁଲିସର ଜିପ୍ସି ଗାଡି ଉନିସାବାଦରୁ ବେଉର ଆଡକୁ ଯାଉଥିଲା । ଏହି ସମୟରେ ହଠାତ୍ ଦ୍ରୁତଗତିରେ ଏକ ଟ୍ରକ୍ ଆସିଥିଲା ଓ ଜିପ୍ସିକୁ ଧକ୍କା ଦେଇଥିଲା । ଧକ୍କା ଦେବାପରେ ଟ୍ରକଟି ନିୟନ୍ତ୍ରଣ ହରାଇ ପୁଲିସ ଜିପ୍ସି ଉପରେ ଓଲିଟି ପଡିଥିଲା ଓ ଓଲିଟିବା ମାତ୍ରେ ହିଁ ଜିପ୍ସିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ନିଆଁ ଲାଗିବା ଯୋଗୁଁ ଜିପ୍ସିରେ ଥିବା ୫ ଜଣ ଜଳିଯାଇଥିଲେ । ଘଟଣାସ୍ଥଳରେ ୩ ଜଣ ପୁଲିସ ମୃତ୍ୟୁବରଣ କରିଥିବାବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୃତକ ୩ ଜଣଙ୍କ ମଧ୍ୟରୁ ୨ ଜଣ ହୋମଗାର୍ଡ ଯବାନ ଥିଲେ ଓ ଜଣେ ଜିଲ୍ଲା ପୁଲିସ ବଳର ଡ୍ରାଇଭର ଥିଲେ । ଏହି ୨ ହୋମଗାର୍ଡ ଯବାନଙ୍କ ନାମ ପ୍ରଭୁ ସାହା ଓ ପୁଖରାଜ କୁମାର, ଡ୍ରାଇଭରଙ୍କ ନାମ ରାଜେଶ କୁମାର ବୋଲି ଚିହ୍ନଟ ହୋଇଛନ୍ତି । ଆହତ ୨ ପୁଲିସକର୍ମୀଙ୍କ ମଧ୍ୟରେ ଜଣେ ଏ.ଏସ୍.ଆଇ. ଅଛନ୍ତି ଯାହାଙ୍କ ନାମ ସିଆଚରଣ ପାସଓ୍ଵାନ, ଅନ୍ୟ ଜଣେ ଆହତ ହେଉଛନ୍ତି ହୋମଗାର୍ଡ ଶ୍ରୀକାନ୍ତ ସିଂହ ।

ଡିଏସପି ପ୍ରାଞ୍ଜଲ ତ୍ରିପାଠି କହିଛନ୍ତି, ଏହି ଦୁର୍ଘଟଣା କୁହୁଡି ପାଗ ଯୋଗୁଁ ହୋଇଛି ବୋଲି ଆଶଙ୍କା କରାଯାଉଛି । ଟ୍ରକର ଡ୍ରାଇଭର ଟ୍ରକ୍ ଛାଡି ଫେରାର ହୋଇଯାଇଛି । ପୁଲିସ ସିସିଟିଭିରେ କଏଦ ହୋଇଥିବା ଭିଡିଓକୁ ଯାଞ୍ଚ କରୁଛି । ଆଖପାଖର ଲୋକଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି ।

ସମ୍ବନ୍ଧିତ ଖବର