ଦେଶର ଟ୍ରକ ମାଲିକ ବର୍ଷକୁ ହାରାହାରି ୪୮ ହଜାର ଟଙ୍କା ଲାଞ୍ଚ ଦିଅନ୍ତି : ସର୍ଭେ

ନୂଆଦିଲ୍ଲୀ : ଆମ ଦେଶରେ ଦୁର୍ନୀତି ରୋକିବାକୁ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ତାହା ସଫଳ ହେଉନାହିଁ । ସମାଜର ତଳସ୍ତରରୁ ଉପର ପର୍ଯ୍ୟନ୍ତ ସବୁସ୍ଥାନରେ ଦୁର୍ନୀତି ଅବ୍ୟାହତ ରହିଛି । ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଦେଶର ଜଣେ ଟ୍ରକ ମାଲିକ ବର୍ଷକୁ ହାରାହାରି ପ୍ରାୟ ୪୮ ହଜାର ଟଙ୍କା ଲାଞ୍ଚ ଦେଇଥାଏ ।
ସେଭ ଲାଇଫ ଫାଉଣ୍ଡେସନ ପକ୍ଷରୁ ଦେଶର ପ୍ରମୁଖ ୧୦ଟି ପରିବହନ କେନ୍ଦ୍ର (ଟ୍ରାନ୍ସପୋର୍ଟ ହବ୍‌)ରେ ଏହି ସର୍ଭେ କରାଯାଇଛି । ଏହି ସର୍ଭେ ରିପୋର୍ଟକୁ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ.ସିଂ ଉନ୍ମୋଚନ କରିଥିଲେ । ଏହି ସର୍ଭେ ଅନୁସାରେ ଦେଶର ଟ୍ରକ ମାଲିକ ବର୍ଷକୁ ହାରାହାରି ୪୮ ହଜାର ଟଙ୍କା ଲାଞ୍ଚ ଦେଇଥାନ୍ତି । ଏସବୁ ଲାଞ୍ଚ ମୁଖ୍ୟତଃ ଟ୍ରାଫିକ ପୋଲିସ ବା ସଡ଼କରେ ମୁତୟନ ହୋଇଥିବା ପୋଲସ କର୍ମଚାରୀମାନଙ୍କୁ ଦେବାକୁ ପଡ଼ିଥାଏ । କେବଳ ଏତିକି ନୁହେଁ, ତନଖି ଫାଟକ, ସ୍ଥାନୀୟ ପୂଜା କମିଟି ଆଦିମାନଙ୍କୁ ମଧ୍ୟ ଚାନ୍ଦା ଦେବାକୁ ପଡ଼ିଥାଏ । ସର୍ଭେରେ ଭାଗ ନେଇଥିବା ପ୍ରାୟ ୬୭ ପ୍ରତିଶତ ଟ୍ରକମାଲିକ ଓ ଚାଳକ ସ୍ୱୀକାର କରିଛନ୍ତି ଯେ ସେମାନେ ଟ୍ରାଫିକ ପୁଲିସ ଓ ଅନ୍ୟମାନଙ୍କୁ ଲାଞ୍ଚ ଦେଇଥାନ୍ତି । ଗୁଆହାଟୀ ପରିବହନ କ୍ଷେତ୍ରର ୯୭ ପ୍ରତିଶତ ଟ୍ରକ ଚାଳକ ମାନିଛନ୍ତି ଯେ ସେମାନେ ଲାଞ୍ଚ ଦେଇଛନ୍ତି । ଏହା ତଳକୁ ରହିଛି ଚେନ୍ନାଇ (୮୯%) ଓ ଦିଲ୍ଲୀ କ୍ଷେତ୍ର (୮୪%)। ଟ୍ରକ ଚାଳକମାନେ ଆହୁରିମଧ୍ୟ ମାନିଛନ୍ତି ଯେ ସେମାନେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ବେଳେ ଲାଞ୍ଚ ଦିଅନ୍ତି ।

ସମ୍ବନ୍ଧିତ ଖବର