ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲର ଦର କମାଇବା ଦାବି ପୂରଣ ନ ହେବାରୁ ବସ ଏବଂ ଟ୍ରକ ଆସୋସିଏସନ ଶୁକ୍ରବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦେଶବ୍ୟାପି ଧର୍ମଘଟ କରିବାକୁ ନିଷ୍ପତି ନେଇଛନ୍ତି। ପୂର୍ବରୁ ମଧ୍ୟ ଟ୍ରକ ଓ ବସ ଆସୋସିଏସନ ଅନେକ ଥର ଧର୍ମଘଟ କରିଥିଲେ। କିନ୍ତୁ ଆସନ୍ତାକାଲି ଯେଉଁ ଧର୍ମଘଟ ହେବାକୁ ଯାଉଛି ତାହା ବହୁଦିନ ଧରି ଚାଲିପାରେ ବୋଲି ସୁତ୍ରରୁ ଜଣାପଡିଛି। ଯଦି ଏପରି ହୁଏ ତେବେ ବାହାରୁ ଆସୁଥିବା ଆବଶ୍ୟକୀୟ ଖାଦ୍ୟ ପଦାର୍ଥ ଉପରେ ପ୍ରଭାବ ପଡିପାରେ।
ସୂଚନା ମୁତାବକ, ଗତ କାଲି ଠାରୁ ପ୍ରାୟ ୯୦ ଲକ୍ଷ ଟ୍ରକ ଏବଂ ୫୦ ଲକ୍ଷରୁ ଅଧିକ ବସ ଧର୍ମଘଟରେ ଯୋଗଦେବେ। ଏନେଇ ଗତ ଦୁଇଦିନ ତଳେ ସରକାର ଟ୍ରକ ବସ ଅପରେଟରଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରି ନିଜ ପାଲରେ ପକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରାନ୍ସପୋଟର୍ସମାନେ ସଫା ସଫା ସରକାରଙ୍କୁ ଅବଗତ କରାଇଦେଇଛନ୍ତି କି, ତାଙ୍କ ଦାବି ହେଉଛି ପେଟ୍ରୋଲ ଡିଜେଲ, ଇବେ ବିଲ, ଥାର୍ଡ ପାର୍ଟି ପ୍ରିମିୟମ, ଟିଡିଏସ, ଟୋଲଗେଟ ଟ୍ୟାକ୍ସ ଏବଂ ଇନ୍ସୁରାନ୍ସ ଉପରେ ଲଗିଥିବା ଅତ୍ୟାଧିକ ଟିକସକୁ ହ୍ରାସ କରିବା।
ଅଲ ଇଣ୍ଡିଆ ଟ୍ରାନ୍ସପୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଭିମ ବାଧବାଙ୍କ କହିବା ଅନୁସାରେ ଟ୍ରାନ୍ସପୋଟର୍ସଙ୍କ ଠାରୁ ନିଆଯାଉଥିବା ଟୋଲଗେଟ ଟ୍ୟାକ୍ସକୁ ଛାଡ କରିବା ପାଇଁ ପୂର୍ବରୁ କୁହାଯାଇଥିଲା। ସରକାର ପ୍ରତିବର୍ଷ ୩୬୫ ଟୋଲ ପ୍ଲାଜାରୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସପୋଟର୍ସମାନଙ୍କ ଠାରୁ ଆୟ କରୁଛନ୍ତି। କେବଳ ସେତିକି ନୁହେଁ ସରକାରଙ୍କ ଏକ ରିପୋର୍ଟ ଅନୁସାରେ ଟୋଲଗେଟ ଲାଇନରେ ଛିଡା ହୋଇ ରହିବା ସମୟରେ ବର୍ଷକୁ ପ୍ରାୟ ୯୮ ହଜାର କୋଟି ଟଙ୍କାର ଇନ୍ଧନ ନଷ୍ଟ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅପରେଟର୍ସମାନେ ଚାହୁଁଛନ୍ତି କି ଯଦି ସରକାର ଡିଜେର ଦର ଉପରେ ଏକ ଟଙ୍କା ଅଧିକ ନେଇ ଟୋଲଗେଟ ଟ୍ୟାକ୍ସକୁ ଛାଡ କରିଦିଅନ୍ତେ ତେବେ ପ୍ରତିବର୍ଷ ୧୮ ହଜାର କୋଟିରୁ ଅଧିକ ଟଙ୍କା ନଷ୍ଟ ହେବାରୁ ବଞ୍ଚିପାରିବ।
ଟ୍ରାନ୍ସପୋଟର୍ସଙ୍କ ଆଉ ଏକ ମୁଖ୍ୟ ଦାବି ହେଉଛି, ଇନ୍ସୁରାନ୍ସ ଉପରେ ଲାଗିଥିବା ଜିଏସଟିକୁ ଛାଡ କରାଯାଉ। ଟ୍ରାନ୍ସପୋଟର୍ସଙ୍କ କହିବା ଅନୁସାରେ ପ୍ରତିବର୍ଷ ଇନ୍ସୁରାନ୍ସ ପ୍ରିମିୟମକୁ ବଢାଇ ଦିଆଯାଉଛି। ଡିଜେଲ ଦର ଏବଂ ଟୋଲଗେଟ ଟ୍ୟାକ୍ସକୁ ନେଇ ଟ୍ରାନ୍ସପୋଟର୍ସମାନେ ଚିନ୍ତାରେ ଥିବା ବେଳେ ସେପଟେ ସରକାର ଇନ୍ସୁରାନ୍ସ ଉପରେ ୧୮ ପ୍ରତିଶତ ଟ୍ୟାକ୍ସ ଲଗାଇଦେଉଛନ୍ତି ଯାହା କଟା ଘା’ରେ ଲୁଣ ଛିଞ୍ଚିଲା ଭଳି ଲାଗୁଛି। ତେଣୁ ଟ୍ରାନ୍ସପୋଟର୍ସ ଆସେସିଏସନ କହିଛି ଯେପର୍ଯ୍ୟନ୍ତ ଏହି ସବୁ ଦାବିକୁ ପୂରଣ କରାନଯାଇଛି ସେପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ।