ନୂଆଦିଲ୍ଲୀ: ଭାରତୀୟ ଗୁଇନ୍ଦା ସଂସ୍ଥା ବିଦେଶୀ ମାଟିରେ ଖଲିସ୍ତାନୀ ତତ୍ତ୍ବଙ୍କ ଉପରେ ଯେଉଁ ଡସିୟର (ଲିଖିତ ଦଲିଲ) ପ୍ରସ୍ତୁତ କରିଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କାନାଡ଼ା ବର୍ତ୍ତମାନ ଖଲିସ୍ତାନୀ ଉଗ୍ରବାଦୀଙ୍କ ଚରାଭୂଇଁରେ ପରିଣତ ହୋଇଛି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଖଲିସ୍ତାନୀ ଗ୍ୟାଙ୍ଗଷ୍ଟରଙ୍କ ସହ ଜଡ଼ିତ ପ୍ରାୟ ୧୮ ଜଣ ଉଗ୍ରବାଦୀ କାନାଡ଼ାରୁ ତାଙ୍କ କାର୍ଯ୍ୟ ପରିଚାଳନା କରୁଛନ୍ତି। ଡିସିୟରରୁ ଆହୁରି ଜଣାପଡ଼ିଛି ଯେ, ତହଲ ସିଂହ ଓ ତା’ ସହଯୋଗୀମାନେ କାନାଡ଼ାରେ ରହି ପଞ୍ଜାବରେ ବିଚ୍ଛିନ୍ନତାବାଦୀ ଓ ହିଂସାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି।

Advertisment

ଜଳନ୍ଧର, ପଞ୍ଜାବର ମୂଳ ବାସିନ୍ଦା ତହଲ ସିଂହ ଏବେ ଟରଣ୍ଟୋ, ଅଣ୍ଟାରିଓରେ ରହୁଛି। ସେ ଆତଙ୍କବାଦୀ ସଂଗଠନ ଇଣ୍ଟରନ୍ୟାସନାଲ ଶିଖ୍ ୟୁଥ୍ ଫେଡେରେସନ (ଆଇଏସ୍‌ୱାଇଏଫ୍‌)ର ସଦସ୍ୟ ଗୁରଜିତ ସିଂହ ଚିମାର ଘନିଷ୍ଠ ସହଯୋଗୀ। ୨୦୧୫ରେ ମାନ ସିଂହ ଟରଣ୍ଟୋ ଯାଇଥିବା ବେଳେ ସିଂହ ଓ ଚିମା ତାଙ୍କୁ ଦେଖା କରି ସ୍ବତନ୍ତ୍ର ଖଲିସ୍ତାନୀ ଦେଶ ଗଠନ ବିଷୟରେ ଆଲୋଚନା କରିଥିଲେ। ମାନ ସିଂହ ପଞ୍ଜାବ ଫେରିବା ପରେ ଶିଖ୍ ଯୁବକମାନଙ୍କୁ ଚରମପନ୍ଥୀ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରିବାକୁ ସେମାନେ ଅନୁରୋଧ କରିଥିଲେ। ଉଗ୍ରବାଦୀ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ସେମାନେ ପାଣ୍ଠି ମଧ୍ୟ ଯୋଗାଇଥିଲେ। ପଞ୍ଜାବରେ ତହଲ ସିଂହର ଇତିହାସ ମଧ୍ୟ କଳଙ୍କିତ। ପଞ୍ଜାବରେ ସେ ଅସ୍ତ୍ରଶସ୍ତ୍ର ଚୋରା କାରବାରଠାରୁ ଆରମ୍ଭ କରି ଅନେକ ଆତଙ୍କବାଦୀ ଓ ଆପରାଧିକ କାର୍ଯ୍ୟକଳାପ ସହ ଜଡ଼ିତ। ଅନେକ ମାମଲାରେ ତାକୁ ଅପରାଧୀ ବୋଲି ଘୋଷଣା କରାଯାଇଛି।

ଆଉ ଜଣେ ଉଗ୍ରବାଦୀ ମଲକିତ ସିଂହ ଓରଫ ଫୌଜି ଏବେ ବ୍ରିଟିସ କଲମ୍ବିଆର ସୁରେଠାରେ ରହୁଛି। ଆଇଏସ୍‌ୱାଇଏଫ୍‌ ଓ ବାବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହ ସେ ସକ୍ରିୟଭାବେ ସମ୍ପୃକ୍ତ। ପଞ୍ଜାବରେ ଏକ ଈଶନିନ୍ଦା (ଗୁରୁଗ୍ରନ୍ଥ ସାହିବର ଅପମାନ) ଘଟଣାରେ ହିନ୍ଦୁ ଶିବସେନା ନେତା ଓ ଶିଖ୍ ଧର୍ମଯାଜକଙ୍କୁ ଆକ୍ରମଣ କରିବା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀ ହେଉଛି ମାନବୀର ସିଂହ ଦୁହରା। ସେ ବି ଜଳନ୍ଧର, ପଞ୍ଜାବର ମୂଳ ବାସିନ୍ଦା ଓ ଏବେ ସେଣ୍ଟ ଜନ, ବ୍ରିଟିସ କଲମ୍ବିଆରେ ରହୁଛି। ପଞ୍ଜାବରେ ଉଗ୍ରବାଦୀ କାର୍ଯ୍ୟକଳାପ ପାଇଁ ଶିଖ୍ ଯୁବକଙ୍କୁ ନିଯୁକ୍ତ କରିବାରେ ତା’ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଇଏସ୍‌ୱାଇଏଫ୍‌ ସଦସ୍ୟମାନଙ୍କୁ ସ୍ଥାନୀୟ ଭାବେ ନିର୍ମିତ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ସେ ପାଣ୍ଠି ‌ଯୋଗାଇଥିଲା ଏବଂ ନିଜେ ପଞ୍ଜାବ ଗସ୍ତ କରି ଯୁବକମାନଙ୍କୁ ଉଗ୍ରବାଦୀ କାର୍ଯ୍ୟକଳାପ ନିମନ୍ତେ ମତେଇଥିଲା। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଓ ପ୍ରଶ୍ରୟ ଦେଇ ଆସୁଥିବା ଭାରତ ଅଭିଯୋଗ କରିଆସୁଛି।