ଅଡ଼ୁଆରେ ଟ୍ରୁଡ୍ୟୁ: ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଖଲିସ୍ତାନୀ ଆତଙ୍କବାଦୀ ଅତିଥି

ନିମନ୍ତ୍ରଣ ରଦ୍ଦ, କ୍ଷମା ପ୍ରାର୍ଥନା କଲେ

ଗୋଆ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁଙ୍କ ଭାରତ ଗସ୍ତ ବିବାଦୀୟ ହୋଇପଡ଼ିଛି। ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ଭାରତ ଗସ୍ତରେ ଆସିଥିବା ଟ୍ରୁଡ୍ୟୁ ଏବେ ଖଲିସ୍ତାନୀ ଆତଙ୍କବାଦୀ ଜଶପାଲ୍‌ ଅଟଓ୍ଵାଲଙ୍କୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ନୂଆଦିଲ୍ଲୀରେ ଏକ ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଯୋଗଦେବାଲାଗି ଖଲିସ୍ତାନୀ ଆତଙ୍କବାଦୀ ଅଟଓ୍ଵାଲଙ୍କୁ ନିମନ୍ତ୍ରଣ କରାଯାଇଥିବା ଏବଂ ଏକ କାର୍ଯ୍ୟକ୍ରମରେ ତାଙ୍କୁଚ ସହ ଟ୍ରୁଡ୍ୟୁଙ୍କ ପତ୍ନୀଙ୍କର ଏକ ଫଟୋ ପ୍ରକାଶ ହେବାପରେ ଏହାକୁ ନେଇ ଟ୍ରୁଡ୍ୟୁଙ୍କ ଗସ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ଖଲିସ୍ତାନୀ ଆନ୍ଦୋଳନ ପୁଣି ଚର୍ଚ୍ଚାକୁ ଆସିଛି। ଭାରତରେ କୌଣସି ବିଚ୍ଛିନତାବାଦୀ ଆନ୍ଦୋଳନକୁ କାନାଡ଼ା ସମର୍ଥନ କରୁନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ମିଳିବ ନାହିଁ ବୋଲି ଗତକାଲି ଟ୍ରୁଡ୍ୟୁ ବୟାନ ଦେଇଥିବାବେଳେ ଆଜି ଅଟଓ୍ଵାଲଙ୍କୁ ନେଇ ବିବାଦ ବଢ଼ିଯାଇଛି। ଅନ୍ୟପକ୍ଷରେ ଟ୍ରୁଡ୍ୟୁ ଆଜି ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି ଭୁଲ୍‌ ସ୍ୱୀକାର କରିଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି।

ଅଟଓ୍ଵାଲଙ୍କୁ ଆଦୌ ନିମନ୍ତ୍ରଣ କରିବାର ନଥିଲା ବୋଲି ସେ କହିଛନ୍ତି। ତାଙ୍କ ସଂସଦର ଜଣେ ସଦସ୍ୟ ହିଁ ଅତିଥି ତାଲିକାରେ ଅଟଓ୍ଵାଲ୍‌ଙ୍କ ନାମକୁ ସାମିଲ କରିଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ ଏ ସଂପର୍କରେ ଜଣାପଡ଼ିବା ପରେ କାନାଡ଼ା ଦୂତାବାସ ପକ୍ଷରୁ ତୁରନ୍ତ ଅଟଓ୍ଵାଲଙ୍କ ନିମନ୍ତ୍ରଣକୁ ରଦ୍ଦ କରିଦିଆଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଶିଖ୍‌ ବିଚ୍ଛିନ୍ନତାବାଦୀ ଅଟଓ୍ଵାଲ ୧୯୮୬ ମସିହାରେ ତତ୍କାଳୀନ ପଞ୍ଜାବ ମନ୍ତ୍ରୀ ମଲ୍‌କିଅତ ସିଂହ ସିଦ୍ଧୁଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଜଣେ ଖଲିସ୍ତାନୀ ଆତଙ୍କବାଦୀକୁ କିଭଳି ଭିସା ମିଳିଲା ତାହା ଜାଣିବାପାଇଁ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ବିଦେଶ ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର