ଟ୍ରମ୍ପ୍‌ ପ୍ରଶାସନର ଯୋଜନା : ଆମେରିକା ଜନ୍ମିତ ପିଲାଙ୍କୁ ନାଗରିକ ଅଧିକାର ମିଳିବନି

ୱାସିଂଟନ୍‌: ଆମେରିକା ସମ୍ବିଧାନ ଅନୁସା‌େର ଦେଶରେ ଅଣନାଗରିକ ଓ ବେଆଇନ ପ୍ରବାସୀଙ୍କ ପିଲାମାନଙ୍କୁ ନାଗରିକ ଅଧିକାର ଦିଆଯିବା ନେଇ ନିୟମ ରହିଛି। ଆମେରିକାରେ ଜନ୍ମଲାଭ କରୁଥିବା ପିଲାମାନଙ୍କୁ ଏହି ଅଧିକାର ଦିଆଯିବା ପାଇଁ ନିୟମ ଅଛି। କିନ୍ତୁ ଟ୍ରମ୍ପ୍ ପ୍ରଶାସନ ଏହି ନିୟମକୁ ହଟାଇଦେବା ପାଇଁ ଯୋଜନା କରୁଛି। ଆପ୍ରବାସନ ନୀତିକୁ କଠୋର କରି ଆମେରିକା ଏଭଳି ପଦକ୍ଷେପ ନେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି।
ଶାସନ କ୍ଷମତା ହାତକୁ ନେବା ଦିନଠାରୁ ହିଁ ଟ୍ରମ୍ପ୍‌ ବିଦେଶୀଙ୍କ ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଏଚ୍‌-୧ବି ଭିସ‌ା କଟକଣାଠାରୁ ଆରମ୍ଭ କରି ନିଯୁକ୍ତି କ୍ଷେତ୍ରରେ ବିଦେଶୀଙ୍କୁ କମ୍‌ ସୁଯୋଗ ଦେବାକୁ ସେ ଗୁରୁତ୍ବ ଦେଇଛନ୍ତି। ତେବେ ଆମେରିକାରେ ଜନ୍ମିତ ପିଲାଙ୍କୁ ନାଗରିକ ଅଧିକାର ଦେଉଥିବା ସାମ୍ବିଧାନିକ ନିୟମ ସଂଶୋଧନ କ୍ଷେତ୍ରରେ ଟ୍ରମ୍ପ୍‌ ମନମୁଖି ଭାବେ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କୁହାଯାଉଛି। କିନ୍ତୁ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ମାଧ୍ୟମରେ ଟ୍ରମ୍ପ୍ ଏହି ନିଷ୍ପତ୍ତି ନେଇପାରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର