ପାକ୍‌ ସାମ୍ବାଦିକଙ୍କ କଶ୍ମୀର ପ୍ରଶ୍ନରେ ଟ୍ରମ୍ପ୍‌ କ୍ଷୁବ୍ଧ, ଇମ୍ରାନଙ୍କୁ ପଚାରିଲେ ଏଭଳି ସାମ୍ବାଦିକ କେଉଁଠୁ ଆଣିଲ

ୱାସିଂଟନ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ସାମ୍ବାଦିକଙ୍କ ବେପରୁଆ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇଛନ୍ତି। କଶ୍ମୀରରେ ଭାରତ ଦମନମୂଳକ ନୀତି ଧରିଛି ବୋଲି ଉଲ୍ଲେଖ କରି ଜଣେ ସାମ୍ବାଦିକ ଏକ ଦୀର୍ଘ ପ୍ରଶ୍ନ ରଖିବାରୁ ଟ୍ରମ୍ପ୍‌ ବିରକ୍ତ ହୋଇ ତାଙ୍କ ପାଖରେ ବସିଥିବା ଇମ୍ରାନ୍‌ ଖାନ୍‌ଙ୍କୁ ପଚାରିଥିଲେ ଏଭଳି ରିପୋର୍ଟର୍‌ଙ୍କୁ ଆପଣ କେଉଁଠୁ ଆଣିଛନ୍ତି। ଏହାପରେ ସେ ସଂପୃକ୍ତ ସାମ୍ବାଦିକଙ୍କୁ ମଧ୍ୟ ପଚାରିଥିଲେ-ଆପଣ ତାଙ୍କର (ଇମ୍ରାନ୍‌ ଖାନ୍‌) ଟିମ୍‌ରେ ଆସିଛନ୍ତି କି। ଆପଣଙ୍କ ପ୍ରଶ୍ନ ଏକ ବିବୃତି ହୋଇଯାଉଛି ବୋଲି ଟ୍ରମ୍ପ କହିଥିଲେ। ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହା ଘୋର ଅଡ଼ୁଆ ସୃଷ୍ଟି କରିଥିଲା। ଆଉ ଜଣେ ସାମ୍ବାଦିକ ଟ୍ରମ୍ପ୍‌ଙ୍କୁ କହିଥିଲେ କଶ୍ମୀର ସମସ୍ୟାର ସମାଧାନ କରିପାରିଲେ ଆପଣ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ହେବେ। ଏହାର ଜବାବରେ ଟ୍ରମ୍ପ କହିଥିଲେ ବିଭିନ୍ନ ପ୍ରସଙ୍ଗରେ ମୁଁ ନୋବେଲ ପାଇଁ ଯୋଗ୍ୟ ହୋଇସାରିଛି, କିନ୍ତୁ ମତେ ତାହା ସେମାନେ ଦେଉନାହାନ୍ତି। ସେମାନେ ଓବାମାଙ୍କୁ ଏକ ନୋବେଲ ପୁରସ୍କାର ଦେଇଛନ୍ତି ବୋଲି ଟ୍ରମ୍ପ୍‌ କହିଥିଲେ।

‘ଆପଣ ବହୁତ ଭଲ ପଡ଼ୋଶୀଙ୍କ ଗହଣରେ ଅଛନ୍ତି’
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହିତ ଆଲୋଚନା ବେଳେ ଭାରତ, ଆଫଗାନିସ୍ତାନ ଏବଂ ଇରାନ୍‌ର ନାମ ନେବାରୁ ଟ୍ରମ୍ପ୍‌ ତୁରନ୍ତ ତାଙ୍କୁ କହିଥିଲେ ଆପଣ ବହୁତ ଭଲ ପ‌ଡ଼ୋଶୀମାନଙ୍କ ଗହଣରେ ଅଛନ୍ତି। ଏହାକୁ ନେଇ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର