ତେହେରାନ: ବନ୍ଦ ହେଲା ଯୁଦ୍ଧ । ଇରାନ-ଇସ୍ରାଏଲ ମଧ୍ଯରେ ଚାଲିଥିବା ଯୁଦ୍ଧ ଶେଷ ହୋଇଛି । ୧୨ ଦିନ ଯୁଦ୍ଧରେ ବିରାମ ଲାଗିଥିବା ନେଇ ଟ୍ରମ୍ପ ଘୋଷଣା କରିଛନ୍ତି । ତେବେ ଟ୍ରମ୍ପଙ୍କ ଘୋଷଣାକୁ ଇରାନ ମାନିନି । କହିଛି ଏଯାଏଁ କୌଣସି ଯୁଦ୍ଧ ବନ୍ଦ ନେଇ ଚୁକ୍ତିନାମା ହୋଇନି ।
ଇରାନର ପ୍ରତିଶୋଧ ଆଗରେ ନଇଁଲା ଆମେରିକା । ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି । ଆମେରିକା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ୍ । ଆମେରିକୀୟ ଆକ୍ରମଣ ଜବାବରେ ଇରାନ କତର ଓ ଇରାକରେ ଥିବା ଆମେରିକୀୟ ସେନା ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । କତରରେ ଥିବା ଆମେରିକା ସୈନ୍ୟ ଠିକଣା ଉପରେ ମିସାଇଲ ଆକ୍ରମଣ କରିଛି ଇରାନ। ଅଲ-ଉଦିଦ ଏୟାରବେସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । କତର ରାଜଧାନୀ ଦୋହାରେ ଜୋରଦାର ବିସ୍ଫୋରଣ ଶୁଣିବାକୁ ମିଳିଛି । ଇରାନ ମିସାଇଲକୁ ନଷ୍ଟ କରିବାକୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି ।
ତେବେ ଇରାନର ପ୍ରତିଶୋଧ ନିଆଁରେ ନରମିଛି ଆମେରିକା । ଇରାନ-ଇସ୍ରାଏଲ ମଧ୍ୟରେ ସିଜ୍ ଫାୟାର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତେବେ ଇରାନକୁ ପ୍ରଥମେ ସିଜ୍ ଫାୟାରର ନିୟମ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି । ୬ ଘଣ୍ଟା ମଧ୍ୟରେ ସିଜ୍ ଫାୟାର ଲାଗୁ ହେବ ।
ଏହାପରେ ୧୨ ଘଣ୍ଟା ମଧ୍ୟରେ ଇସ୍ରାଏଲ ମଧ୍ୟ ସିଜ୍ ଫାୟାର କରିବ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି । ତେବେ ଏନେଇ ଇରାନ ଓ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ଇରାନ ଆକ୍ରମଣକୁ ଅତି ଦୁର୍ବଳ କହିବା ସହ କୌଣସି ବଡ଼ କ୍ଷତି ହୋଇ ନଥିବା କହିଛନ୍ତି ଡୋନାଲ୍ଟ ଟ୍ରମ୍ପ । ଇରାନ ୧୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ବେଳେ ୧୩ଟିକୁ ଆକାଶରେ ହିଁ ନଷ୍ଟ କରାଯାଇଛି । ଆକ୍ରମଣରେ କୌଣସି ନାଗରିକଙ୍କ ମୃତ୍ୟୁ ହୋଇନି କିମ୍ବା କେହି ଆହତ ହୋଇ ନଥିବା ସେ କହିଛନ୍ତି ।