ସୁରକ୍ଷା ପାଇଁ ସାଉଦି ଆରବକୁ ସୈନ୍ୟ ଓ ପ୍ରତିରକ୍ଷା ସାମଗ୍ରୀ ପଠାଇବ ଆମେରିକା

ଓ୍ଵାସିଂଟନ୍‌: ସାଉଦି ଆରବର ତୈଳକୂପ ଉପରେ ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ ହେବା ପରେ ତା’ର ବିମାନ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନ୍ୟ ପ୍ରେରଣ କରିବା ନିମନ୍ତେ ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ ଅନୁମତି ଦେଇଛନ୍ତି।

ପେଣ୍ଟାଗନ୍‌ କହିଛି ପ୍ରାଥମିକ ପର୍ଯ୍ୟାୟରେ କେବଳ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ହଜାର ହଜାର ନୁହେଁ, ସ୍ୱଳ୍ପ ସଂଖ୍ୟକ ସୈନ୍ୟ ମୁତୟନ କରାଯିବ। ଉଭୟ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟସ୍‌କୁ ସାମରିକ ସାମଗ୍ରୀ ଯୋଗାଇବା କାର୍ଯ୍ୟ ତ୍ୱରାନ୍ଵିତ କରିବା ନିମନ୍ତେ ହୋଇଥିବା ଯୋଜନା କଥା ମଧ୍ୟ ପେଣ୍ଟାଗନ୍‌ ପ୍ରକାଶ କରିଛି।

Image Source: India Today

ପୂର୍ବ ଖବର ଅନୁସାରେ, ଆଣ୍ଟି-ମିସାଇଲ୍‌ ବ୍ୟାଟେରି, ଡ୍ରୋନ୍‌ ଏବଂ ଅଧିକ ଲଢୁଆ ବିମାନ ପଠାଇବାକୁ ପେଣ୍ଟାଗନ୍‌ ବିଚାର କରୁଛି। ସମ୍ପୃକ୍ତ ଅଞ୍ଚଳରେ ସବୁଦିନ ପାଇଁ ଗୋଟାଏ ବିମାନବାହୀ ଜାହାଜ ରଖିବାକୁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ବିଚାର କରୁଛି।

ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପର୍‌ କହିଛନ୍ତି: ସାଉଦି ଆରବର ଅନୁରୋଧ କ୍ରମେ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନ୍ୟ ମୁତୟନ ନିମନ୍ତେ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଏହା ପ୍ରତିରକ୍ଷାତ୍ମକ ଏବଂ ବିଶେଷକରି ବିମାନ ଓ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରତି ଦୃଷ୍ଟି ଦେବ।

ଯୁକ୍ତରାଷ୍ଟ୍ର ଆମେରିକା କହିବା ଅନୁସାରେ ସାଉଦି ଆରବର ତୈଳକୂପ ଉପରେ ଇରାନ୍‌ ହିଁ ଆକ୍ରମଣ କରିଛି। କିନ୍ତୁ ଶୁକ୍ରବାରର ଏହି ଘୋଷଣାରୁ ଇରାନ୍‌ ଉପରେ କୌଣସି ପ୍ରତିଶୋଧାତ୍ମକ ଆକ୍ରମଣ କଥାର ଆଭାସ ମିଳୁନାହିଁ।

ସମ୍ବନ୍ଧିତ ଖବର