ଉତ୍ତର କୋରିଆ ସହ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ସିଙ୍ଗାପୁରରେ ପହଞ୍ଚିଲେ ଟ୍ରମ୍ପ, ପ୍ରଥମ ଥର ପାଇଁ କରିବେ କିମ୍ ଜନ-ଉନ୍ଙ୍କୁ ସାକ୍ଷାତ
ସିଙ୍ଗାପୁର: ଆଗାମୀ ୧୨ ତାରିଖରେ ସିଙ୍ଗାପୁରର ପାୟା ଲିବର୍ ଏୟାର୍ ବେସ୍ରେ ଉତ୍ତର କୋରିଆ ସହ ହେବାକୁ ଥିବା ଏକ ବୈଠକରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସେଠାରେ ଉତ୍ତର କୋରିଆର ଲିଡର୍ କିମ୍ ଜନ-ଉନ୍ଙ୍କ ସହ ଏହି ବୈଠକରେ ଡୋନାଲ୍ଡ ଟ୍ରମ୍ପ ଆଲୋଚନା କରିବେ।
ଟ୍ରମ୍ପ ବର୍ତ୍ତମାନ ସିଙ୍ଗାପୁର୍ର ସାନ୍ଗ୍ରି-ଲା ହୋଲେଲ୍ରେ ରହଣୀ କରିଛନ୍ତି। ସୋମବାର ତାଙ୍କର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହସିନ୍ ଲୋଙ୍ଗ୍ଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି।
ଡୋନାଲ୍ଡ ଟ୍ରମ୍ପ ଓ କିମ୍ ଜନ-ଉନ ପ୍ରଥମ ଥର ପାଇଁ ମଙ୍ଗଳବାର ସେନ୍ଟୋସା ଆଇସ୍ଲାଣ୍ଡର କ୍ୟାପେଲ୍ ହୋଟେଲ୍ରେ ପରସ୍ପର ସହ ସାକ୍ଷାତ କରିବେ। ଆଲୋଚନାର ବିଷୟବସ୍ତୁ ଉତ୍ତର କୋରିଆର ପରମାଣୁକରଣ ପ୍ରକ୍ରିୟା ରହିପାରେ ବୋଲି ଅନୁମାନ କରାଯାଉଛି।
ରାଷ୍ଟ୍ରପତି ଟ୍ରମ୍ପ କିମ୍ଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ନେଇ ଉତ୍ସୁକତା ପ୍ରକାଶ କରିଛନ୍ତି। ଏହି ସୁଯୋଗ ମାତ୍ର ଥରେ ପାଇଁ ଆସିଛି ବୋଲି ମଧ୍ୟ ସେ ମତ ରଖିଛନ୍ତି।
ଏପଟ ଟ୍ରମ୍ପଙ୍କ ପରି କିମ୍ ମଧ୍ୟ ସିଙ୍ଗାପୁରରେ ପାଦ ରଖି ସାରିଛନ୍ତି। ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିୟାନ୍ ବାଲକ୍ରିଷନ୍ ତାଙ୍କୁ ସିଙ୍ଗାପୁରର ଚାଙ୍ଗି ଇଣ୍ଟର୍ନାସ୍ନାଲ୍ ଏୟାର୍ପୋର୍ଟରେ ସ୍ୱାଗତ କରିଛନ୍ତି। ଉତ୍ତର କୋରିଆ ଲିଡର୍ କିମ୍ ସିଙ୍ଗାପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଲି ହସିନ୍ ଲୋଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି।