ୱାସିଂଟନ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍‌ ସିନ୍ଦୂର ପରବର୍ତ୍ତୀ ସଂଘର୍ଷରେ ଶୋଚନୀୟ ପରାଜୟ ବରଣ କରିବା ପରେ ପାକିସ୍ତାନ ଏବେ ଆମେରିକାର ଶରଣ ପଶିଛି। ଚୀନ୍ ଅସ୍ତ୍ରଶସ୍ତ୍ର ଭାରତର ସାମର୍ଥ୍ୟ ଆଗରେ ବିଫଳ ସାବ୍ୟସ୍ତ ହେବା ପରେ ଟ୍ରମ୍ପଙ୍କୁ ସାହାଯ୍ୟ ମାଗିଛନ୍ତି ପାକିସ୍ତାନର ସେନାମୁଖ୍ୟ ଫିଲ୍‌ଡ ମାର୍ଶାଲ ଅସୀମ ମୁନିର। କିନ୍ତୁ ମାଗଣାରେ କାହାକୁ କିଛି ଦେଉ ନ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଟ୍, ସହାୟତା ଓ ସୁରକ୍ଷା ଚୁକ୍ତି ବଦଳରେ ପାକିସ୍ତାନକୁ ତା’ର ସାମରିକ ଘାଟି ମାଗିଥିବା ଜଣାପଡ଼ିଛି। ଏହି ଘାଟିକୁ ପ୍ରବେଶ ମିଳିଲେ ଆମେରିକା ସହଜରେ ଇରାନର ସମ୍ଭାବ୍ୟ ମୁକାବିଲା କରିପାରିବ। ବର୍ତ୍ତମାନ ଚାଲିଥିବା ଇରାନ-ଇସ୍ରାଏଲ‌ ଯୁଦ୍ଧରେ ସାମିଲ ହୋଇ ଆମେରିକା ଇସ୍ରାଏଲକୁ ସାହାଯ୍ୟ କରିବାକୁ ଚାହୁଛି।  

Advertisment

ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ସୁପାରିସ କଲେ ମୁନିର
ନୂଆଦିଲ୍ଲୀ: ପାକିସ୍ତାନ ସେନା‌ ମୁଖ୍ୟ ଅସୀମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିସ କରିଛନ୍ତି।  ଗତ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଅଟକାଇବାରେ ଟ୍ରମ୍ପଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଥିଲା ଏବଂ ଏଥିପାଇଁ  ଟ୍ରମ୍ପଙ୍କ ନାମ ‌ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯିବା ଉଚିତ ବୋଲି ମୁନିର କହିଛନ୍ତି।  ହ୍ବାଇଟ ହାଉସ୍‌ ମୁଖପାତ୍ର ଆନ୍ନା କେଲ୍ଲି ଆଜି ଏ‌ହି ସୂଚନା ଦେଇଛନ୍ତି।   ବୁଧବାର ଆମେରିକା‌ ରାଷ୍ଟ୍ରପତି ଟ୍ରମ୍ପ ପାକ୍‌ ସେନାମୁଖ୍ୟ ମୁନିରଙ୍କୁ ହ୍ବାଇଟ ହାଉସରେ ସ୍ବତନ୍ତ୍ର ଆତିଥ୍ୟ ପ୍ରଦାନ କରିଥିଲେ।  ଉଭୟ ଟ୍ରମ୍ପ ଏବଂ ମୁନିର ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ।   ଉଲ୍ଲେଖଯୋଗ୍ୟ,  ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କେବଳ କୂଟନୈତିକ ସ୍ତରରେ ହୋଇଛି ଏବଂ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ନାହିଁ ବୋଲି ଭାରତ ବାରମ୍ବାର କହି ଆସିଥିଲେ ସୁଦ୍ଧା ଟ୍ରମ୍ପ ବାରମ୍ବାର ଦୋହରାଇଛନ୍ତି ଯେ ସେ ହିଁ ଭାରତ-ପାକ୍‌ ବିବାଦ ସମାଧାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏ ବାବଦ ବାସ୍ତବତା ନେଇ ଟ୍ରମ୍ପଙ୍କୁ ଜଣାଇ ଦେଇଛନ୍ତି।


ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବୁଧବାର ପାକିସ୍ତାନ ସେନା ମୁଖ୍ୟଙ୍କ ସହ ମଧ୍ୟାହ୍ନଭୋଜନ କରିଛନ୍ତି। ଏହି ବୈଠକରେ ଟ୍ରମ୍ପ ପାକିସ୍ତାନର ସାମରିକ ଘାଟି ଓ ସାମୁଦ୍ରିକ ବନ୍ଦରକୁ ଆମେରିକାର ଅତ୍ୟାଧୁନିକ ଲଢୁଆ ବିମାନ, କ୍ଷେପଣାସ୍ତ୍ର ପ୍ରଣାଳୀ ଓ ଅର୍ଥନୈତିକ ସହାୟତା ପ୍ରବେଶ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ୟାକେଜରେ ନୂଆ ସୁରକ୍ଷା ଓ ବାଣିଜ୍ୟ ଚୁକ୍ତି ମଧ୍ୟ ରହିଛି। ଟ୍ରମ୍ପ ପାକିସ୍ତାନକୁ ଚୀନ୍ ଓ ରୁଷିଆଠାରୁ ସମ୍ପର୍କ ତୁଟାଇବାକୁ ପ୍ରସ୍ତାବ ଦେଇଛନ୍ତି। ଯଦି ଆମେରିକା ଭବିଷ୍ୟତରେ ଇରାନ ବିରୋଧରେ ଯୁଦ୍ଧରେ ଇସ୍ରାଏଲ ସହ ସାମିଲ ହୁଏ, ତେବେ ସେ ପାକିସ୍ତାନକୁ ନିଜର ସହଯୋଗୀ ଭାବେ ଚାହୁଛନ୍ତି। 

ଭାରତ ସହ ଉତ୍ତେଜନା ଭିତରେ ରଣନୈତିକ ପରିବର୍ତ୍ତନ: ଭାରତ ସହ ତିକ୍ତ ସମ୍ପର୍କ ଭିତରେ ପାକିସ୍ତାନ ପ୍ରତି ଟ୍ରମ୍ପଙ୍କ ନୂଆ ଆଗ୍ରହ ପ୍ରକାଶ ପାଇଛି। ଭାରତ ଓ ପାକିସ୍ତାନକୁ ଅସ୍ତ୍ରବିରତି ପାଇଁ ରାଜି କରାଇବାର ଶ୍ରେୟ ନେବାକୁ ସେ ଏବେ ବି ଚାହୁଛନ୍ତି। ନିକଟରେ ସେ କାଶ୍ମୀର ବିବାଦରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛନ୍ତି। ଭାରତ ସହ ତାଙ୍କର ବାଣିଜ୍ୟ ନୀତି ମଧ୍ୟ ତିକ୍ତ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଟ୍ରମ୍ପ ପାକିସ୍ତାନକୁ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏବଂ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ବଦଳରେ ସେ ସାମରିକ ଘାଟି ଓ ସାମୁଦ୍ରିକ ବନ୍ଦରକୁ ପ୍ରବେଶ କରିବାକୁ ଅନୁରୋଧ କରିଛନ୍ତି। ଚୀନ୍-ରୁଷ୍ ସହ ସମ୍ପର୍କ ତୁଟାଇବାକୁ କହିଲା ଵାସିଂଟନ: ଟ୍ରମ୍ପଙ୍କ ପ୍ରସ୍ତାବ ଅନୁସାରେ, ଆମେରିକା ସହ ସମ୍ପର୍କ ଯୋଡ଼ିଲେ ପାକିସ୍ତାନକୁ ଚୀନ୍ ଓ ରୁଷ୍ ସହ ନିଜର ସାମରିକ ଓ ରଣନୈତିକ ସମ୍ପର୍କ ଛିନ୍ନ ବା ହ୍ରାସ କରିବାକୁ ପଡ଼ିବ। ଯଦିଓ ପାକିସ୍ତାନ ଆମେରିକା ନିର୍ମିତ ଏଫ୍-୧୬ ଲଢୁଆ ବିମାନ ଓ ଯୁଦ୍ଧ ଜାହାଜ ହାସଲ କରିଛି, ତଥାପି ଗତ କିଛି ବର୍ଷ ମଧ୍ୟରେ ନୂଆ ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଚୀନ୍ ଉପରେ ନିର୍ଭର କରୁଛି।