ୱାସିଂଟନ :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଜାତିସଂଘର ୮୦ତମ ସାଧାରଣ   ଅଧ‌ିବେଶନରେ ଉଦ୍‌ବୋଧନ ଦେଇ ପୁଣିଥରେ ୭ଟି ଯୁଦ୍ଧ ଶେଷ କରିଥିବା ଦାବି ଦୋହରାଇ ନିଜ ପାଇଁ ‌ନୋବେଲ ଶାନ୍ତି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି,  ସେ ଭାରତ-ପାକିସ୍ତାନ, ଇସ୍ରାଏଲ-ଇରାନ, ରୁଆଣ୍ଡା-କଙ୍ଗୋ, ଥାଇଲାଣ୍ଡ-କା‌ମ୍ବୋଡ଼ିଆ, ଆର୍ମେନିଆ- ଅାଜରବୈଜନ, ଇଜିପ୍ଟ-ଇଥିଓପିଆ ଏବଂ ସର୍ବିୟା-କସଭୋ ଯୁଦ୍ଧ ବନ୍ଦ କରିବାରେ ସଫଳ ହୋଇଛନ୍ତି। ଏହା ଅନ୍ୟମାନଙ୍କ ପାଇଁ ଅକଳ୍ପନୀୟ।  ଅନ୍ୟ କୌଣସି ରାଷ୍ଟ୍ରପତି କିମ୍ବା ନେତା ଏହାର ପାଖାପାଖି କିଛି କରିପାରିନାହାନ୍ତି।  ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯାହା ଜାତିସଂଘ କରିବା କଥା ତାହା ସେ କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

Advertisment

ଜାତିସଂଘ ସାଧାରଣ ଅଧିବେଶନରେ ଭାଷଣ ଦେଇ ଏହି ବୈଶ୍ବିକ ସଂସ୍ଥାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ଶେଷ ପାଇଁ ଜାତିସଂଘ କେବେ ବି ସହଯୋଗ କରିବାକୁ ପ୍ରୟାସ କରିନାହିଁ।  ସେ ୭ ରାଷ୍ଟ୍ରର ନେତାଙ୍କ ସହ ଯୋଗାଯୋଗ କରିଛନ୍ତି। କିନ୍ତୁ ଜାତିସଂଘଠାରୁ ଗୋଟିଏ କଲ୍‌ ବି ପାଇନାହାନ୍ତି।  ସେ କହିଛନ୍ତି, ଜାତିସଂଘ କେବଳ କଡ଼ା ଚିଠି ଲେଖି ଜାଣିଛି। ଜାତିସଂଘ କେବଳ ଫମ୍ପା କଥା କହୁଛି। କିନ୍ତୁ ଫମ୍ପା କଥାରେ ଯୁଦ୍ଧର ସମାଧାନ ହୋଇପାରିବନି। ସେ ଜାତିସଂଘଠାରୁ କେବଳ ୨ଟି ଜିନିଷ ପାଇଛନ୍ତି। ତାହା ହେଉଛି ଖରାପ୍‌ ଏସ୍‌କାଲେଟର ଏବଂ ଭଙ୍ଗା ଟେଲିପ୍ରମ୍ପଟର।  ଜାତିସଂଘ ମୁଖ୍ୟାଳୟର ଏକ ଭିଡିଓରୁ ଦେଖିବାକୁ ମିଳିଛି ଯେ ଟ୍ରମ୍ପ ଏବଂ ମେଲାନିଆ ଏସ୍‌କାଲେଟର୍‌ରେ ଚଢ଼ିବା ସମୟରେ ଏହା ହଠାତ୍‌ ବନ୍ଦ ହୋଇଗଲା।  ସେହିଭଳି ଟ୍ରମ୍ପ ଭାଷଣ ଆରମ୍ଭ କରିବା ସମୟରେ ଟେଲିପ୍ରମ୍ପଟର ମଧ୍ୟ ଫେଲ୍‌ ମାରିଲା। ଏହାପରେ ଟ୍ରମ୍ପ କାଗଜରୁ ତାଙ୍କ ଭାଷଣ ପଢ଼ିଥିଲେ। ଉକ୍ତ ୨ଟି ବିଷୟକୁ ନେଇ ଟ୍ରମ୍ପ ତାଙ୍କ ଭାଷଣରେ ଜାତିସଂଘର କାର୍ଯ୍ୟ ସ୍ବରୂପକୁ ପଦାରେ ପକାଇଥିଲେ।  
ଟ୍ରମ୍ପ କହିଛନ୍ତି, ଚୀନ୍‌ ଓ ଭାରତ ୟୁକ୍ରେନ ଯୁଦ୍ଧରେ ପାଣ୍ଠି ଲଗାଇଛନ୍ତି। କିଛି ନ‌ାଟୋ ରାଷ୍ଟ୍ର ମଧ୍ୟ ଏହା କରୁଛନ୍ତି। କିଛି ୟୁରୋପୀୟ ରାଷ୍ଟ୍ର ମଧ୍ୟ ରୁଷ୍‌ଠାରୁ ତୈଳ କିଣୁଛନ୍ତି ଏବଂ ଏହା ସହ ଲଢ଼ୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ।  ବେଆଇନ ପ୍ରବାସୀଙ୍କ ପାଇଁ ଟ୍ରମ୍ପ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଯଦି ତୁମେ ବେଆଇନ ଭାବେ ଆମେରିକାକୁ ପ୍ରବେଶ କରୁଛ ତେବେ ତୁମକୁ ଜେଲ୍‌ ପଠାଯିବ ନଚେତ୍‌ ଯେଉଁଠାରୁ ଆସିଥିଲ ସେଠାକୁ ପଠାଯିବ କିମ୍ବା ତା ଠାରୁ ବି ଅଧିକ ଦୂରକୁ..। ରୁଷ୍‌କୁ କଡ଼ା ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯଦି ରୁଷ୍‌ ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ଏକ ଚୁକ୍ତି ପ୍ରସ୍ତୁତ ନହୁଏ ତେବେ ଆମେରିକା ଏହା ଉପରେ ଅତି ଶକ୍ତିଶାଳୀ  ଶୁଳ୍କ କଟକଣା ଲଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।  ନିଜ ସମ୍ଭାଷଣରେ ଟ୍ରମ୍ପ ଆଜି ଆମେରିକାକୁ ପ୍ରଶଂସା‌ରେ ପୋତି ପକାଇଛନ୍ତି। ସେ କହିଛନ୍ତି, ଗୋଟିଏ ବର୍ଷ ପୂର୍ବରୁ ଆମ ଦେଶ ବହୁତ ସମସ୍ୟାରେ ଥିଲା। କିନ୍ତୁ ମୋ ଶାସନର ମାତ୍ର ୮ ମାସ ମଧ୍ୟରେ ଆମେ ବିଶ୍ବରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ର। ଆମେରିକାର ଏହା ସ୍ବର୍ଣ୍ଣିମ ଚିତ୍ର ବୋଲି ଟ୍ରମ୍ପ କହିଛନ୍ତି।