ଆମେ ବି ହାତବାନ୍ଧି ବସିବୁନି: ଟ୍ରମ୍ପ୍‌ଙ୍କୁ ରୁଷ୍‌ର ଜବାବ

ବେଜିଂ: ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରଙ୍କ ପ୍ରଭାବକୁ ପ୍ରତିହତ କରିବା ପାଇଁ ଆମେରିକା ନିଜର ଯୁଦ୍ଧ ବିମାନ ଏବଂ ପରମାଣୁ ଅସ୍ତ୍ରଗୁଡ଼ିକୁ ଅତ୍ୟାଧୁନିକ କରିବା ସହ କ୍ଷୁଦ୍ର ପରମାଣୁ ଅସ୍ତ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେବ ବୋଲି ଶୁକ୍ରବାର ଏକ ସାମରିକ ନୀତି ଘୋଷଣା କରିଛି। ତେବେ ଏଥିରେ ଚୀନ୍‌ କ୍ଷୁବ୍ଧ ହେବା ସହ ତୀବ୍ର ପ୍ରତିକ୍ରିୟା ରଖିଛି। ଏହାଦ୍ୱାରା ଅନ୍ୟମାନଙ୍କ ପାଖରେ ଟ୍ରମ୍ପ ପ୍ରଶାସନର ଶୀତଳ ଯୁଦ୍ଧ ମାନସିକତା ଧରାପଡ଼ିଯାଇଛି ବୋଲି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ବିଶ୍ୱର ମଙ୍ଗଳ ପାଇଁ ଆମେରିକା ଏପରି ମନୋବୃତ୍ତିକୁ ପରିହାର କରିବା ସହ ନିଜର ସାମରିକ ଦକ୍ଷତାର ନକାରାତ୍ମକ ଅର୍ଥ ନକରିବା ପାଇଁ ଚୀନ୍‌ ପରାମର୍ଶ ଦେଇଛି।

ନିଜର ପରମାଣୁ ଆକ୍ରମଣ କ୍ଷମତା ବଢ଼ାଇବାକୁ ଗୁରୁତ୍ୱ ଦେଇ ଆମେରିକା ଶୁକ୍ରବାର ଘୋଷଣା କରିଥିବା ତାହାର ନୂତନ ସାମରିକ ନୀତିରେ ଋଷିଆ ଗଭୀର ଚିନ୍ତା ପ୍ରକଟ କରିସାରିଛି। ଟ୍ରମ୍ପ ପ୍ରଶାସନର ଏପରି ମାନସିକତା ଯୁଦ୍ଧକ୍ଷେତ୍ରରେ ମୁହାଁମୁହିଁ ହେବାକୁ ଉସୁକାଉଛି ବୋଲି ଋଷିଆ ଅଭିଯୋଗ ଆଣିବା ସହ ଦୁଇ ଦେଶ(ଋଷିଆ-ଆମେରିକା) ମଧ୍ୟରେ ଉତ୍ତେଜନାର ଭୁଲ୍‌ ହିସାବ କରି ଅନର୍ଥ ଆଣିବ ବୋଲି କହିଛି। ସେହିପରି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଅନୁରୂପ ଆଶଙ୍କା ପ୍ରକଟ କରିଛି। ସମ୍ପ୍ରତି ଶାନ୍ତି ଏବଂ ବିକାଶ ବିଶ୍ୱର ଅପରିବର୍ତ୍ତନୀୟ ଧାରା ପାଲଟିଛି। ଏଭଳି ସ୍ଥିତିରେ ବିଶ୍ୱର ସର୍ବାଧିକ ଆଣବିକ ଅସ୍ତ୍ର ହାସଲ କରିଥିବା ଆମେରିକା ଏହି ଧାରା ବିରୋଧରେ ନଯାଇ ଏହାକୁ ଆଦରିନେବା ଉଚିତ୍‌ ବୋଲି ଚୀନ୍‌ କହିଛି। ଅପରପକ୍ଷେ, ଆଣବିକ ଅସ୍ତ୍ର ବିକାଶ ଦିଗରେ ଚୀନ୍‌ ସବୁବେଳେ ସଂଯମ ଅବଲମ୍ବନ କରୁଛି ଏବଂ ଏ ଦିଗରେ ନିଜର ଆଣବିକ ଦକ୍ଷତାକୁ ସର୍ବନିମ୍ନ କରିବାକୁ ଚାହୁଛି। ମାତ୍ର ଚୀନ୍‌ର ଉଦ୍ଦେଶ୍ୟକୁ ଆନୁମାନିକ ଅଟକଳ କରି ଆମେରିକା ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଚୀନ୍‌ କହିଛି।

ସୂଚନା ଥାଉ କି, ଚୀନ୍‌-ରୁଷ୍‌ର ମୁକାବିଲା ପାଇଁ ଆମେରିକା ତା’ର ପରମାଣୁ ଅସ୍ତ୍ର ଭଣ୍ଡାରକୁ ଅଧିକ ଘାତକ ଓ କ୍ଷୁଦ୍ର ପରମାଣୁ ଅସ୍ତ୍ରରେ ସମୃଦ୍ଧ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପଙ୍କ ତତ୍ତ୍ୱାବଧାନରେ ଗଠିତ ରାଷ୍ଟ୍ରୀୟ ସୁରକ୍ଷା କମିଟି ଘୋଷଣା କରିଛି। ଏପରିକି ବିଭିନ୍ନ ପ୍ରକାର ତତ୍କାଳ ବ୍ୟବହାରଯୋଗ୍ୟ କ୍ଷୁଦ୍ର ପରମାଣୁ ଅସ୍ତ୍ର ରୁଷ୍‌ ଓ ଚୀନ୍‌ ପାଖରେ ଅଧିକ ସଂଖ୍ୟାରେ ଥିବାରୁ ଏହାର ମୁକାବିଲା ପାଇଁ ଆମେରିକା ମଧ୍ୟ ଅଧିକ ଘାତକ ଓ କ୍ଷୁଦ୍ର ପରମାଣୁ ଅସ୍ତ୍ର ତିଆରି କରିବ ବୋଲି ଏଥିରେ କୁହାଯାଇଛି। ଫଳରେ ଋଷିଆ ଓ ଚୀନ୍‌ ଏଥିରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର