ଓ୍ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ଓ ପ୍ରତିଦ୍ବନ୍ଦ୍ବୀ ରିପବ୍ଲିକାନ୍ ଦଳ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ଦ୍ବିତୀୟ ତଥା ଚୂଡ଼ାନ୍ତ ମୁହାଁମୁହିଁ ବିତର୍କ ଗୁରୁବାର ନାସ୍ଭିଲେ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କୋଭିଡ୍ ସଂକ୍ରମଣ କଟକଣା ଯୋଗୁଁ ମାତ୍ର ୨୦୦ ଯାଏ ଦର୍ଶକ ଉପସ୍ଥିତ ଥିଲେ। ବିତର୍କ ଆୟୋଜକ ଫ୍ରାଙ୍କ ଫ୍ୟାରେନ୍କଫ୍ଙ୍କ କହିବା ଅନୁସାରେ, ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଛଅଟି ପ୍ରମୁଖ ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା ଏବଂ ପ୍ରତି ପ୍ରଶ୍ନର ବିତର୍କ ବେଳେ ଉଭୟଙ୍କୁ ସମ୍ପୂର୍ଣ୍ଣ ଦୁଇ ମିନିଟ ସମୟ ଧରି ନିରନ୍ତର କହିବା ପାଇଁ ସୁଯୋଗ ଦିଆଯାଇଥିଲା।
ତେବେ ଅତ୍ୟନ୍ତ ସଂଭ୍ରମ ଓ ଶାଳୀନତାର ସହ ସରିଥିବା ଏହି ବିତର୍କରେ କିଛି ନିଆରା କଥା ଦେଖିବାକୁ ମିଳିଥିଲା। ଗତ ୩୦ ତାରିଖରେ ଆୟୋଜିତ ପ୍ରଥମ ନିର୍ବାଚନୀ ବିତର୍କ ଏଭଳି ବାକ୍ବିତଣ୍ଡାରେ ଭରିଯାଇଥିଲା ଯେ ଗୁରୁବାରର ଶେଷ ବିତର୍କରେ ଆୟୋଜକମାନେ ଏକ ମୌନ ସ୍ବିଚ୍ ବ୍ୟବସ୍ଥା ରଖିବାକୁ ବାଧ୍ୟ ହୋଇଥିଲେ। ଫଳରେ ଯାହାର ଜବାବ ଅପ୍ରାସଙ୍ଗିକ ଅଥବା ଅଯଥା କୋଳାହଳରେ ଭରିଯିବ, ତାଙ୍କର ମାଇକ୍ରୋଫୋନ୍କୁ ଅଫ୍ କରିଦେବାର ବ୍ୟବସ୍ଥା କରାଯାଇଥିଲା। ମାତ୍ର ସମସ୍ତଙ୍କ ଅନୁମାନକୁ ଭୁଲ ପ୍ରମାଣିତ କରି ଟ୍ରମ୍ପ୍-ବାଇଡେନ୍ଙ୍କ ଏହି ଚୂଡ଼ାନ୍ତ ବିତର୍କ ବେଶ୍ ଶୃଙ୍ଖଳିତ ଓ ଅଧିକ ସଭ୍ୟ ମନେ ହୋଇଥିଲା। ଅବଶ୍ୟ ସେହି ଅଭିନବ ସ୍ବିଚ୍ ବ୍ୟବସ୍ଥା ପାଇଁ ହେଉ କି ବିଶେଷ କରି ଟ୍ରମ୍ପ୍ଙ୍କ ସକାଶେ ଭୟାନକ ସମୀକ୍ଷା ପାଇଁ ହେଉ, ଉଭୟ ପ୍ରାର୍ଥୀ ପରସ୍ପରର ବକ୍ତବ୍ୟରେ କ୍ବଚିତ୍ ବ୍ୟାଘାତ ପହଞ୍ଚାଇଥିଲେ। ଏପରିକି କରୋନାଭୂତାଣୁ ଠାରୁ ଆରମ୍ଭ କରି ଅପରାଧ ଓ ବିଶ୍ବ ଉତ୍ତପ୍ତୀକରଣ ପ୍ରସଙ୍ଗ ଯାଏ ଉଭୟ ସଂଘର୍ଷମୟ ସ୍ଥିତିରେ ପହଞ୍ଚିଥିଲେ ହେଁ ନିଜ ଉପରେ ସମୟୋଚିତ ଅଙ୍କୁଶ ଲଗାଇବା ଦେଖାଯାଇଥିଲା। ବେଳେ ବେଳେ ଉଭୟ ମୁଣ୍ଡ ହଲାଇ ଅଥବା ବାଇଡେନ୍ଙ୍କ କ୍ଷେତ୍ରରେ ମୁରୁକି ହସି ପରସ୍ପରର ଉତ୍ତରରେ ପ୍ରତିକ୍ରିୟା ରଖିଥିଲେ। କେହି କାହା ଉପରେ ପଡ଼ି କହୁନଥିଲେ।
ସେହିପରି ପ୍ରଶ୍ନ ପଚରାଯାଉଥିବା ବେଳେ କାହାର ମାଇକ୍ ଯଦି ମୌନ କରିଦିଆଯାଉଥିଲା, ସେ ଆଉ ଅଧିକ ଗପୁନଥିଲେ। ପୂର୍ବାନୁଭୂତିକୁ ତୁଳନା କଲେ ବିଶେଷ କରି ଟ୍ରମ୍ପ୍ ତାଙ୍କ ଶାଳୀନତାର ଶୀର୍ଷରେ ଥିଲେ। କାରଣ ପୂର୍ବଥର ସେ ପ୍ରଶ୍ନକର୍ତ୍ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିଲେ। ଶେଷ ବିତର୍କ ହିଁ ନିର୍ବାଚନ ଫଳାଫଳକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ଧାରଣା ଥିବାରୁ ଟ୍ରମ୍ପ୍ ଅଧିକ ଧୈର୍ଯ୍ୟର ସହ ଶାଳୀନତା ପ୍ରଦର୍ଶନ କରିଥିଲେ।
ଭାରତର ବାୟୁ ପ୍ରଦୂଷଣ ଉତ୍କଟ: ଟ୍ରମ୍ପ୍
ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆୟୋଜିତ ଶେଷ ବିତର୍କ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତର ବାୟୁ ପ୍ରଦୂଷଣ କଥା ଉଠାଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ଭାରତ ସମେତ ରୁଷିଆ, ଚୀନ୍ରେ ବାୟୁ ପ୍ରଦୂଷଣ ଉତ୍କଟ। ପ୍ୟାରିସ ଚୁକ୍ତିକୁ ଟ୍ରମ୍ପ୍ ବିରୋଧ କରିବାକୁ ଯଥାର୍ଥ ଦର୍ଶାଇ ଟ୍ରମ୍ପ୍ ଭାରତ, ଚୀନ୍ ଓ ରୁଷିଆର ବାୟୁ ପ୍ରଦୂଷଣ କଥା ଉଠାଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ସହ ବିତର୍କ କାର୍ଯ୍ୟକ୍ରମରେ ପ୍ୟାରିସ ଚୁକ୍ତିକୁ ବିରୋଧ କରିବା ଉଚିତ୍ ଥିଲା ବୋଲି ଟ୍ରମ୍ପ୍ ଯୁକ୍ତି କରିଛନ୍ତି। ପ୍ୟାରିସ ଚୁକ୍ତି ପାଇଁ ସେ କୋଟିକୋଟି ସଂଖ୍ୟାରେ ଚାକିରି ଓ କମ୍ପାନି ହରାଇବାକୁ ଚାହୁ ନଥିଲେ ବୋଲି ଟ୍ରମ୍ପ୍ ଯୁକ୍ତି ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/trump-5.jpg)