ନ୍ୟୁୟର୍କ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପ୍ରାକ୍ତନ ଉପରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ହ୍ବାଇଟ୍ହାଉସ ଦଖଲ ଭାଗ୍ୟ ଏବେ ଭୋଟବାକ୍ସ ଭିତରେ ବନ୍ଦ ରହିଛି। ଜାତୀୟସ୍ତରୀୟ ଏବଂ ରାଜ୍ୟସ୍ତରୀୟ ଯାବତୀୟ ଜନମତ ସର୍ଭେରେ ବାଇଡେନ୍ ଅଗ୍ରଣୀ ରହିବା ସହ ତାଙ୍କ ବିଜୟ ସମ୍ଭାବନା ଅଧିକ ରହିଛି। ଅପରପକ୍ଷେ, ଟ୍ରମ୍ପ୍ ହାରିଯିବେ ବୋଲି ମଧ୍ୟ କୌଣସି ସର୍ଭେ ଭବିଷ୍ୟବାଣୀ କରିନାହିଁ। ସୁତରାଂ ଜନମତ ସର୍ଭେରୁ କେବେ କୌଣସି ଉପସଂହାର ଅଣାଯାଇପାରିବ ନାହିଁ। କାରଣ ୨୦୧୬ ନିର୍ବାଚନରେ ସମସ୍ତ ପ୍ରକାର ଜନମତ ସର୍ବେକ୍ଷଣକୁ ଭୁଲ୍ ପ୍ରମାଣିତ କରି ଟ୍ରମ୍ପ୍ ବିଜେତା ହୋଇଥିଲେ। ଆଜି ସମସ୍ତ ୫୦ ରାଜ୍ୟରେ ଭୋଟ୍ ଗ୍ରହଣ ହୋଇଛି ଏବଂ ସାରା ବିଶ୍ବ ଫଳାଫଳକୁ ଅପେକ୍ଷା କରି ରହିଛି। ସମସ୍ତ ରାଜ୍ୟ ନିଜ ନିଜର ନୀତିନିୟମ ଅନୁସାରେ ନିର୍ବାଚନ ପରିଚାଳନା କରିଛନ୍ତି।
ଆମେରିକା ନିର୍ବାଚନ ପ୍ରକ୍ରିୟାରେ ଭୋଟ ଗଣତି ପୂର୍ବରୁ ଭୋଟରମାନଙ୍କ ସ୍ବାକ୍ଷର ଯାଞ୍ଚ, କାଗଜାତଗୁଡ଼ିକର ସତ୍ୟତା ଅନୁଧ୍ୟାନ ଏବଂ ଏପରିକି ବାଲଟପେପରଗୁଡ଼ିକର ମଧ୍ୟ ସ୍କାନିଂ କରାଯାଇଥାଏ। ସେହିପରି ପ୍ରତ୍ୟକ୍ଷ ମତଦାନ ଓ ଡାକ ମାଧ୍ୟମରେ ମତଦାନ ସମେତ ବାଲଟପେପର ସଂଗ୍ରହ ଓ ଗଣତି ପାଇଁ ପ୍ରତ୍ୟେକ ରାଜ୍ୟ ନିଜ ନିଜର ତାରିଖ ଘୋଷଣା କରିଥାନ୍ତି। ପୂର୍ବରୁ ପାଖାପାଖି ୧୦ କୋଟି ଭୋଟର ପ୍ରାକ୍ ଭୋଟିଂ ପ୍ରକ୍ରିୟାରେ ମତଦାନ କରିଥିବା ବେଳେ ଆଜି ଆଉ ୬ କୋଟି ମତଦାନ କରିଛନ୍ତି। ତେଣୁ ସମସ୍ତ ବାଲଟପେପରର ପ୍ରସେସିଂ ସମୟସାପେକ୍ଷ, ସୁତରାଂ ଫଳାଫଳ ବାହାରିବା ମଧ୍ୟ ବିଳମ୍ବ ହୋଇପାରେ। ତେବେ କେବେ ଗଣାଯିବ ତାହା ଆନୁଷ୍ଠାନିକ ଭାବେ ଆଗାମୀ କିଛି ସପ୍ତାହ ଭିତରେ ଘୋଷଣା କରାଯିବ। ତେବେ ଆଜି ରାତିରୁ ପ୍ରମୁଖ ଟିଭି ଚ୍ୟାନେଲ୍ଗୁଡ଼ିକ ବୁଥ୍ବାହୁଡ଼ା ମତାମତକୁ ଭିତ୍ତି କରି ଖବର ପ୍ରସାର ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ, ଚଳିତ ବର୍ଷ ମାତ୍ରାଧିକ ଡାକ ମାଧ୍ୟମରେ ଭୋଟ ପଡ଼ିଥିବାରୁ କେଉଁ ପ୍ରାର୍ଥୀ ନିଶ୍ଚୟ ବିଜେତା ହେବେ ତାହା ଅନୁମାନ କରିବା ମୁସ୍କିଲ। ତେଣୁ ଚୂଡ଼ାନ୍ତ ଫଳାଫଳ ଆସିବା ପାଇଁ କିଛିଦିନ ଲାଗି ଯାଇପାରେ।
ସର୍ଭେ ଠିକ୍ ହେଲେ ବାଇଡେନ୍ ପରବର୍ତ୍ତୀ ରାଷ୍ଟ୍ରପତି ହେବେ
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହୋଇଛି। ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ଡିମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ମଧ୍ୟରେ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ବିଭିନ୍ନ ଜନମତ ସର୍ଭେ ଯଦି ସତ ପ୍ରମାଣିତ ହୁଏ ତେବେ ଜୋ ବାଇଡେନ୍ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ। ସିଏନ୍ଏନ୍ ପୋଲ୍ ଅଫ୍ ପୋଲ୍ସ ଅନୁଯାୟୀ ଜାତୀୟ ହାରାହାରି ଭୋଟ୍ରେ ବାଇଡେନ୍ ଟ୍ରମ୍ପ୍ଙ୍କଠାରୁ ପ୍ରାୟ ୧୦ ପଏଣ୍ଟ୍ରେ ଆଗୁଆ ଅଛନ୍ତି। ବାଇଡେନ୍ଙ୍କ ଜାତୀୟ ପୋଲିଂ ହାର ୫୨ ପ୍ରତିଶତ ଥିବାବେଳେ ଟ୍ରମ୍ପ୍ଙ୍କର ଜାତୀୟ ପୋଲିଂ ୪୨ ପ୍ରତିଶତ ରହିଛି।
ସିଏନ୍ଏନ୍ ସର୍ଭେ ବାଇଡେନ୍ ଟ୍ରମ୍ପ୍ଙ୍କଠାରୁ ୧୨ ପଏଣ୍ଟ୍ରେ ଆଗୁଆ ଅଛନ୍ତି ବୋଲି କହିଥିବା ବେଳେ ଫକ୍ସ ନ୍ୟୁଜ୍ ପୋଲ୍ରେ ଟ୍ରମ୍ପ୍ ବାଇଡେନ୍ଙ୍କଠାରୁ ୮ ପଏଣ୍ଟ୍ ପଛୁଆ ଅଛନ୍ତି ବୋଲି କୁହାଯାଉଛି। ଫକ୍ସ ନ୍ୟୁଜ୍ର ଜଣେ ବରିଷ୍ଠ ଅଧିକାରୀ ଆଗାମୀ ନିର୍ବାଚନରେ ଟ୍ରମ୍ପ୍ଙ୍କ ପରାଜୟକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କରୋନା ମହାମାରୀର ତ୍ରୁଟିପୂର୍ଣ୍ଣ ମୁକାବିଲା ପାଇଁ ଟ୍ରମ୍ପ୍ ନିର୍ବାଚନ ହାରିବେ ବୋଲି ସେ କହିଛନ୍ତି। ୨୦୧୬ରେ ହିଲାରି କ୍ଲିଣ୍ଟନ୍ଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିଲେ ଟ୍ରମ୍ପ୍। କ୍ଲିଣ୍ଟନ୍ଙ୍କୁ ମଧ୍ୟ ବିପୁଳ ଜନ ସମର୍ଥନ ଥିଲା। କିନ୍ତୁ ଟ୍ରମ୍ପ୍ ଇଲେକ୍ଟୋରାଲ୍ ଭୋଟ୍ ପାଇଁ ଜିତିଗଲେ। ତେବେ ଏଥର ସ୍ଥିତି ଭିନ୍ନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/trump-and-biden.jpg)