ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିରେ କୌଣସି ତୃତୀୟ ପକ୍ଷର ହାତ ନାହିଁ ବୋଲି ଭାରତ ବାରମ୍ବାର ଦାବି କରି ଆସିଥିଲେ ସୁଦ୍ଧା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ମାନି ନାହାନ୍ତି। ବାରମ୍ବାର ସେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ହ୍ବାଇଟ ହାଉସ୍ରେ ଆଜି ଆମେରିକା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମଧ୍ୟ ଟମ୍ପଙ୍କ ଦାବିକୁ ଦୋହରାଇ ସେହି ସମାନ କଥା କହିଛନ୍ତି। ଅପରେସନ୍ ସିନ୍ଦୂର ସମୟରେ ୱାସିଂଟନ୍ ଭାରତ ସହ ଏକ ଯୁଦ୍ଧବିରତି ବୁଝାମଣା ସୁନିଶ୍ଚିତ କରିବାରେ ସାହାଯ୍ୟ କରିଥିଲା ବୋଲି ସେ କହିଛନ୍ତି। ସରିଫ୍ ଏବଂ ପାକିସ୍ତାନୀ ସେନା ମୁଖ୍ୟ ଅସିମ ମୁନୀର ଆଜି ଟ୍ରମ୍ପଙ୍କୁ ଓଭାଲ୍ ଅଫିସରେ ଭେଟିଛନ୍ତି। ଚଳିତ ସପ୍ତାହରେ ଜାତିସଂଘ ସଧାରଣ ଅଧିବେଶନ ଅବସରରେ ଏହି ସାକ୍ଷାତ ହୋଇଛି। ପାକିସ୍ତାନ ସହ ଅସ୍ତ୍ରବିରତି ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ଭାରତ ବାରମ୍ବାର ପ୍ରତ୍ୟାଖ୍ୟାନ କରିବା ସତ୍ତ୍ବେ ଟ୍ରମ୍ପ ଲଗାତାର ଭାବେ କହି ଆସିଛନ୍ତି ଯେ ସେ ୨ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଅସ୍ତ୍ରବିରତି କରାଇଛନ୍ତି। ଅତି ନିକଟରେ ଟ୍ରମ୍ପ ଜାତିସଂଘ ସାଧାରଣ ଅଧିବେଶନରେ ଏହି ସମାନ ଟିପ୍ପଣୀ ଦେଇଥିଲେ।
ପାକିସ୍ତାନ ପିଏମଓ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ସମୟରେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ‘ଶାନ୍ତିବାଦୀ’ ଭାବରେ ବର୍ଣ୍ଣନା କରିଥିଲେ ଯିଏ କି ବିଶ୍ୱବ୍ୟାପୀ ସଂଘର୍ଷ ସମାପ୍ତ କରିବା ପାଇଁ ଆନ୍ତରିକ ପ୍ରୟାସରେ ନିୟୋଜିତ । ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାହସିକ ଏବଂ ନିର୍ଣ୍ଣାୟକ ନେତୃତ୍ୱକୁ ପ୍ରଶଂସା କରିଥିଲେ ଯାହା ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧବିରତିକୁ ସହଜ କରିଥିଲା, ଯାହା ଫଳରେ ଦକ୍ଷିଣ ଏସିଆରେ ଏକ ବଡ଼ ବିପର୍ଯ୍ୟୟକୁ ଏଡ଼ାଇବାରେ ସାହାଯ୍ୟ କରିଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଆରମ୍ଭରେ ହୋଇଥିବା ଶୁଳ୍କ ଚୁକ୍ତି ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସହଭାଗିତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ, ଉଭୟ ଦେଶର ପାରସ୍ପରିକ ଲାଭ ପାଇଁ ପାକିସ୍ତାନ-ଆମେରିକା ସହଯୋଗ ଆହୁରି ମଜବୁତ ହେବ। ଏହି ପରିପ୍ରେକ୍ଷୀରେ, ସରିଫ୍ ଆମେରିକୀୟ କମ୍ପାନିଗୁଡ଼ିକୁ ପାକିସ୍ତାନର ଖଣି ଏବଂ ଶକ୍ତି କ୍ଷେତ୍ରରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି।