କ୍ଷମତା ଛାଡ଼ି ନପାରନ୍ତି ଟ୍ରମ୍ପ, ୧୦ ପୂର୍ବତନ ପ୍ରତିରକ୍ଷା ସଚିବଙ୍କ ଚିଠି

ସାମିଲ ନହେବାକୁ ସେନାକୁ ପରାମର୍ଶ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାଜିତ ହେବାପରେ ତାଙ୍କ କାର୍ଯ୍ୟକାଳ ସରିଆସୁଛି। ଆସନ୍ତା ୨୦ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ‌ଜୋ ବାଇଡେନ ଶପଥ ନେଇ ଆମେରିକାବାସୀଙ୍କୁ ନେତୃତ୍ବ ଦେବେ। ଆମେରିକାବାସୀ ବାଇଡେନଙ୍କ ସପକ୍ଷରେ ଜନାଦେଶ ଦେବା ସତ୍ତ୍ବେ ଟ୍ରମ୍ପ ଏହାକୁ ମାନିବାକୁ କୁନ୍ଥକୁନ୍ଥ ହେଉଛନ୍ତି। ଏପରିକି ସେ ରାଷ୍ଟ୍ରପତି ଭବନରେ ପୁଣି ଥରେ ରହିବା ନେଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ପରାଜିତ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଅନ୍ଧ ସମର୍ଥକମାନଙ୍କୁ ଧରି ଏଭଳି ହତାଶାଜନକ ଉଦ୍ୟମ କରିପାରନ୍ତି ବୋଲି ଆଲୋଚନା ହେଉଛି। ସେନା ସହାୟତାରେ ସେ ଆମେରିକା ରାଷ୍ଟ୍ରପତି ଭାବେ କ୍ଷମତାକୁ ନିଜ ପାଖରେ ରଖିପାରନ୍ତି ବା କୁପ୍‌ କରିପାରନ୍ତି ବୋଲି ୧୦ ଜଣ ପୂର୍ବତନ ପ୍ରତିରକ୍ଷା ସଚିବ ଆଶଙ୍କା ବ୍ୟକ୍ତ କରିଛନ୍ତି। କିନ୍ତୁ ଟ୍ରମ୍ପଙ୍କୁ ଏହି କାର୍ଯ୍ୟରେ ସହଯୋଗ ନକରିବା ପାଇଁ ଆମେରିକାର ପ୍ରତିରକ୍ଷା ବାହିନୀ ଏହି ପୂର୍ବତନ ପ୍ରତିରକ୍ଷା ସଚିବମାନେ କହିଛନ୍ତି। ରାଜନୀତିଠାରୁ ସେନା ଦୂରରେ ରହିବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି। ନିର୍ବାଚନ ବିବାଦର ସମାଧାନରେ ଆମେରିକା ସେନାକୁ ସାମିଲ କରିବା ଉଦ୍ୟମ ଦେଶକୁ ବିପଜ୍ଜନକ, ବେଆଇନ ଏବଂ ଅସାମ୍ବିଧାନିକ ଅଞ୍ଚଳକୁ ନେଇଯିବ। ଟ୍ରମ୍ପଙ୍କୁ ଏଭଳି କାର୍ଯ୍ୟ କରିବାରେ ଯେଉଁ ବେସାମରିକ ଓ ସାମରିକ ଅଧିକାରୀମାନେ ନିର୍ଦ୍ଦେଶ ଦେବେ ସେ‌ମାନେ ଏହାର ଗମ୍ଭୀର ପରିଣତି ଭୋଗ କରିବେ। ୨୦୨୦ ରାଷ୍ଟ୍ରପତି ନିର୍ବାଚନର ବିଜେତା ଜୋ ବାଇଡେନଙ୍କୁ ସ୍ବୀକୃତି ଦେବା ପାଇଁ ଆସନ୍ତା ବୁଧବାର କଂଗ୍ରେସର ଏକ ମିଳିତ ଅଧିବେଶନ ହେବାକୁ ଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ସେହିଭଳି ଉପରାଷ୍ଟ୍ରପତି ମାଇକ ପେନ୍ସ ମଧ୍ୟ ତାଙ୍କ ଔପଚାରିକ ଦାୟିତ୍ବ ନିର୍ବାହ ପରିସର ବାହାରକୁ ଯାଇ ପରାଜିତ ରାଷ୍ଟ୍ରପତିଙ୍କୁ ଦ୍ବିତୀୟ ଥର କ୍ଷମତାରେ ରହିବାର ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଟ୍ରମ୍ପଙ୍କ ସମର୍ଥକମାନେ ଦାବି କରୁଛନ୍ତି। ଏଥିସହିତ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ପେଣ୍ଟାଗନରେ ଟ୍ରମ୍ପ ତାଙ୍କର ସମର୍ଥକମାନଙ୍କୁ ଅବସ୍ଥାପିତ କରିବାରେ ଲାଗିଛନ୍ତି। ଟ୍ରମ୍ପଙ୍କ କୁପ୍‌ ସଂପର୍କରେ ଆଶଙ୍କା ବ୍ୟକ୍ତ କରିଥିବା ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବଙ୍କ ମଧ୍ୟରେ ଆସଟନ କାର୍ଟର, ଡିକ୍ ସେନେ, ୱିଲିଅମ କୋହେନ, ମାର୍କ ଇସପର, ରବର୍ଟ ଗେଟ୍‌ସ, ଚୁକ୍ ହାଗେଲ, ଜେମ୍ସ ମାଟ୍ଟିସ୍‌, ଲିଅନ ପାନେଟା, ୱିଲିଅମ ପେରି, ଡୋନାଲ୍ଡ ରମ୍ସଫେଲ୍ଡ ରହିଛନ୍ତି। ଏହି ଆଶଙ୍କା ବ୍ୟକ୍ତ କରି ସେମାନେ ଏକ ଚିଠି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଚିଠିଟି ୱାସିଂଟନ ପୋଷ୍ଟରେ ପ୍ରକାଶ ପାଇଛି। ଏମାନେ ଟ୍ରମ୍ପ, ଓବାମା, ବୁଶ୍ ଏବଂ କ୍ଲିଣ୍ଟନଙ୍କ ରାଷ୍ଟ୍ରପତିତ୍ବ ସମୟରେ ପ୍ରତିରକ୍ଷା ସଚିବ ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର