ଓ୍ବାସିଂଟନ : ଭାରତ-ପାକିସ୍ତାନ, ଇରାନ-ଇସ୍ରାଏଲ ପରେ ପୁଣି ଏକ ଅସ୍ତ୍ରବିରତି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ଇସ୍ରାଏଲ ଗାଜାରେ ୬୦ ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛି।
ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ପ୍ରତିନିଧିମାନେ ଗାଜା-ଇସ୍ରାଏଲ ପ୍ରସଙ୍ଗରେ ଇସ୍ରାଏଲୀ ନେତାମାନଙ୍କ ସହିତ ଏକ ଲମ୍ବା ଏବଂ ଫଳପ୍ରଦ ବୈଠକ କରିଛନ୍ତି। ବୈଠକରେ ଗାଜାରେ ୬୦ ଦିନିଆ ଅସ୍ତ୍ରବିରତି ପାଇଁ ଇସ୍ରାଏଲ ରାଜି ହୋଇଛି। ତେବେ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି । ଟ୍ରମ୍ପ ଏହି ପ୍ରସଙ୍ଗରେ ହମାସକୁ ମଧ୍ୟ ଚେତାବନୀ ଦେଇଛନ୍ତି। ପରିସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ସେ ହମାସକୁ ଏହି ଚୁକ୍ତିନାମା ଗ୍ରହଣ କରିବାକୁ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୁଦ୍ଧବିରତି ସମୟରେ ଆମେ ଯୁଦ୍ଧ ସମାପ୍ତ କରିବା ପାଇଁ ସମସ୍ତ ପକ୍ଷଙ୍କ ସହିତ କାମ କରିବୁ। ଶାନ୍ତି ଆଣିବା ପାଇଁ ବହୁତ କଠିନ ପରିଶ୍ରମ କରିଥିବା କାତାର ଏବଂ ଇଜିପ୍ଟର ନେତାମାନେ ଏହି ଅସ୍ତ୍ରବିରତି ଉପରେ ଏକ ଚୂଡ଼ାନ୍ତ ପ୍ରସ୍ତାବ ଉପସ୍ଥାପନ କରିବେ। ମୁଁ ଆଶା କରୁଛି ଯେ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ବିକାଶ ପାଇଁ ହମାସ ଏହି ଚୁକ୍ତିନାମାକୁ ଗ୍ରହଣ କରିବ, ଯଦି ହମାସ ଏପରି ନ କରେ, ତେବେ ଏହା ଭଲ ହେବ ନାହିଁ ବରଂ ପରିସ୍ଥିତି ଆହୁରି ଖରାପ ହେବ।"