ଅକ୍ଟୋବରରେ ଭାରତ ଆସିପାରନ୍ତି ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ଅକ୍ଟୋବରରେ ମୁମ୍ବାଇରେ ହେବାକୁ ଥିବା ଏନ୍‌ବିଏ (ନ୍ୟାସନାଲ ବାସ୍କେଟବଲ୍ ଲିଗ୍‌) ବାସ୍କେଟବଲ୍ ମ୍ୟାଚ୍ ଦେଖିବା ପାଇଁ ଭାରତ ଆସିପାରନ୍ତି। ହାଓଡି ମୋଦୀ କାର୍ଯ୍ୟକ୍ରମରେ ଉଦବୋଧନ ଦେବାବେଳେ ଟ୍ରମ୍ପ୍ ଏଭଳି ସୂଚନା ଦେଇଛନ୍ତି। ଆମେରିକାରେ ଅତ୍ୟନ୍ତ ଲୋକପ୍ରିୟ ବାସ୍କେଟବଲ୍ ଲିଗ୍ ‘ଏନ୍‌ବିଏ’ ମୁମ୍ବାଇରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଆୟୋଜନ କରିବ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଛି କି ବୋଲି ଟ୍ରମ୍ପ ଉଦବୋଧନ ଦେବାବେଳେ ମୋଦୀଙ୍କୁ ପଚାରିଥିଲେ। ଏହାପରେ ସେ ନିଜେ ତାଙ୍କ ଆଡ଼ୁ ପୁଣି କହିଥିଲେ, ଆଶ୍ଚର୍ଯ୍ୟ ହେବାର ନାହିଁ, ମୁଁ ଯାଇପାରେ। ଉଲ୍ଲେଖଯୋଗ୍ୟ, ମୁମ୍ବାଇଠାରେ ଆସନ୍ତାମାସ ୪ ଓ ୫ ତାରିଖରେ ଇଣ୍ଡିଆନ୍ ପେସର୍ସ ଏବଂ ସାକ୍ରାମେଣ୍ଟୋ କିଙ୍ଗ୍ସ ମଧ୍ୟରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ ବୋଲି ଏନ୍‌ବିଏ ପକ୍ଷରୁ ଗତବର୍ଷ ଡିସେମ୍ବରରେ ଘୋଷଣା କରାଯାଇଥିଲା। ସାକ୍ରାମେ‌େଣ୍ଟା କିଙ୍ଗ୍ସର ସଂଖ୍ୟାଗରିଷ୍ଠ ମାଲିକାନା ସ୍ବତ୍ବ ମୁମ୍ବାଇ ଜନ୍ମିତ ଭାରତୀୟ ବିବେକ ରଣଦୀବେଙ୍କ ନିକଟରେ ରହିଛି। ୨୦୦୬ ମସିହାରୁ ଆଜି ପର୍ଯ୍ୟନ୍ତ ୩୫ ଜଣରୁ ଅଧିକ ବର୍ତ୍ତମାନ ଏବଂ ପୂର୍ବତନ ବାସ୍କେଟବଲ ଖେଳାଳୀ ଏନ୍‌ବିଏ ପକ୍ଷରୁ ଭାରତ ଆସିଛନ୍ତି। ୨୦୧୧ ମସିହାରେ ମୁମ୍ବାଇଠାରେ ଏନ୍‌ବିଏର ଏକ କାର୍ଯ୍ୟାଳୟ ମଧ୍ୟ ଖୋଲିଛି। ଏନ୍‌ବିଏ ମ୍ୟାଚ୍ ମୁମ୍ବାଇ‌ରେ ଆୟୋଜନ ହେବା ଭାରତୀୟ ବାସ୍କେଟବଲ୍‌କୁ ନୂଆ ମୋଡ଼ ଦେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର