ଫ୍ଲୋରିଡା: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର ଗୋଟେ ଦିନ ବାକିଥିବାବେଳେ ଶେଷ ପର୍ଯ୍ୟାୟରେ ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି। କରୋନା ମହାମାରୀ ଚଳିତ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଛି। ଆମେରିକାରେ ସର୍ବାଧିକ ସଂକ୍ରମଣ ମାମଲା ଏବଂ ସର୍ବାଧିକ କରୋନା ମୃତ୍ୟୁ ପାଇଁ ଟ୍ରମ୍ପ୍ଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହି କାରଣରୁ ଆମେରିକାରେ ମହାମାରୀ ପରିଚାଳନାରେ ଟ୍ରମ୍ଫ ପ୍ରଶାସନର ପ୍ରମୁଖ ପରାମର୍ଶଦାତା ଡା.ଆନ୍ଥୋନି ଫସିଙ୍କୁ ବିଦା କରିଦେଇ ପାରନ୍ତି ବୋଲି ଟ୍ରମ୍ପ ଏକ ନିର୍ବାଚନୀ ସଭାରେ ଇଙ୍ଗିତ କରିଛନ୍ତି। ଡା.ଫସି ବର୍ତ୍ତମାନ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇନଫେକସିଅସ୍ ଡିଜିଜେସର ନିର୍ଦ୍ଦେଶକ ଅଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ୍ ଗତକାଲି ବିଳମ୍ବିତ ରାତିରେ ମିଆମିରେ ଏକ ରୢାଲି ସମୟରେ ସେ କରୋନାକୁ ଭଲଭାବେ ମୁକାବିଲା କରିଛନ୍ତି ବୋଲି ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ନିଜ ସମର୍ଥନରେ ଟ୍ରମ୍ପ୍ ଯୁକ୍ତି ବାଢ଼ିଥିବାବେଳେ ହଠାତ୍ ଭିଡ଼ ମଧ୍ୟରୁ ଡା.ଆନ୍ଥୋନି ଫସିଙ୍କୁ ବିଦା କରିବା ଦାବିରେ ‘ଫାୟାର ଫସି’ ସ୍ଲୋଗାନ୍ ଶୁଣିବାକୁ ମିଳିଥିଲା। ତେବେ ଏହାର ଉତ୍ତରରେ ଟ୍ରମ୍ପ୍ କହିଥିଲେ, କେହି କିଛି କୁହନା। ନିର୍ବାଚନ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଟ୍ରମ୍ପ୍ କହିଥିଲେ ଏଭଳି ଉପଦେଶକୁ ସେ ପ୍ରଶଂସା କରୁଛନ୍ତି। ତେବେ ପରୋକ୍ଷରେ ଟ୍ରମ୍ପ୍ ଫସିଙ୍କୁ ନିର୍ବାଚନ ପରେ ପଦରୁ ହଟାଇ ଦେଇପାରନ୍ତି ବୋଲି କହିଥିଲେ ସୁଦ୍ଧା ପରେ ସେ ଏ ନେଇ ସ୍ପଷ୍ଟୀକରଣ ଦେଇଥିଲେ। ଫସି ଖୁବ୍ ଭଲ କିନ୍ତୁ ସେ ଅନେକ ଭୁଲ୍ କରିଦେଇଛନ୍ତି ବୋଲି ଟ୍ରମ୍ପ୍ କହିଥିଲେ।