ୱାସିଂଟନ୍: କରୋନାରେ ଆକ୍ରାନ୍ତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଡାକ୍ତରମାନଙ୍କ କଥା ଶୁଣୁ ନାହାନ୍ତି। ସେମାନଙ୍କ ବାରଣ ସତ୍ତ୍ବେ ସେ ୭ ଦିନ ପୂର୍ବରୁ ଡାକ୍ତରଖାନା ଛାଡ଼ିଛନ୍ତି। କେବଳ ଏତିକି ନୁହେଁ, ବିନା ମାସ୍କରେ ହ୍ବାଇଟ୍ ହାଉସ୍ ଫେରି କରୋନାକୁ ନଡରିବା ଲାଗି ପରାମର୍ଶ ଦେଇଛନ୍ତି। ତାଙ୍କର ଏଭଳି ଆଚରଣ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍କୁ ଅଡ଼ୁଆରେ ପକାଇଛି। ଗତକାଲି ରାତିରେ ନାଟକୀୟ ଭାବେ ଟ୍ରମ୍ପ୍ ସାମରିକ ହସ୍ପିଟାଲ୍ରୁ ହ୍ବାଇଟ୍ ହାଉସ୍କୁ ଫେରିଛନ୍ତି। କରୋନା ସଂକ୍ରମିତ ଥାଇ ମଧ୍ୟ ସେ ମାସ୍କ ପିନ୍ଧି ନ ଥିଲେ। ଅନ୍ୟପକ୍ଷରେ ସେ କହିଥିଲେ ଯେ ସେ ଅସୁସ୍ଥ ଅଛନ୍ତି, କିନ୍ତୁ କରୋନାକୁ ଭୟ କରିବା ଉଚିତ୍ ନୁହେଁ।
ଆମେରିକାରେ ୨ ଲକ୍ଷ ୧୦ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିଲେ ସୁଦ୍ଧା ଟ୍ରମ୍ପ୍ କରୋନାକୁ ଭୟ ନକରିବାକୁ କହିବା ବିଷୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରମ୍ପ୍ଙ୍କ ଏଭଳି ବାର୍ତ୍ତାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାମାରୀ ରୋଗ ବିଶେଷଜ୍ଞ। ସେମାନେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଅସୁସ୍ଥତା ସତ୍ତ୍ବେ କରୋନା ପ୍ରତି ତାଙ୍କର ଚିନ୍ତାଧାରା ବଦଳୁନି। ହ୍ବାଇଟ୍ ହାଉସ୍ରେ ପହଞ୍ଚିବାପରେ ଟ୍ରମ୍ପ୍ ଆଜି ମୁହଁରୁ ମାସ୍କ କାଢ଼ି କହିଥିଲେ ଯେ ସେ ଭଲ ଅଛନ୍ତି। ଗତକାଲି ମଧ୍ୟ ସେ ହସ୍ପିଟାଲ ବାହାରେ ତାଙ୍କ ଫ୍ୟାନ୍ମାନଙ୍କୁ ସ୍ବାଗତ କରିଥିଲେ। ଯାହାକୁ ନେଇ ଡାକ୍ତରମାନେ ଚିନ୍ତା ପ୍ରକଟ କରିଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାେନ କହିଛନ୍ତି ଯେ ରାଷ୍ଟ୍ରପତି ଆଉ ୭ ଦିନ ହସ୍ପିଟାଲରେ ରହିବା କଥା। କିନ୍ତୁ କାହାରି କଥା ନଶୁଣି ସେ ହସ୍ପିଟାଲ ଛାଡ଼ି ପଳାଇ ଆସିଛନ୍ତି।