କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବେ ନାହିଁ ଟ୍ରମ୍ପ୍‌

ୱାସିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କଶ୍ମୀର ପ୍ରସଙ୍ଗ‌ରେ ମଧ୍ୟସ୍ଥତା କରିବେ ନାହିଁ। କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ବୟାନକୁ ନେଇ ବିବାଦ ହେବାପରେ ଟ୍ରମ୍ପ୍‌ ଆଜି ସ୍ଥିତି ସ୍ପଷ୍ଟ କରି କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାର ପ୍ରଶ୍ନ ଉଠୁନାହିଁ। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗ ଏବଂ ଉଭୟ ରାଷ୍ଟ୍ର ଦ୍ବିପାକ୍ଷିକ ଭାବେ ଏହି ମାମଲାର ସମାଧାନ କରିବା ଉଚିତ୍‌। ତେବେ ଆମେରିକା କଶ୍ମୀର ପ୍ରସଙ୍ଗରେ ସର୍ବଦା ଗୋଟିଏ ନୀତିରେ ରହି ଆସିଛି ଏବଂ ତାହା ହେଉଛି ଭାରତ ଏବଂ ପାକିସ୍ତାନକୁ ସମସ୍ୟା ସମାଧାନ କରିବାରେ ଉତ୍ସାହିତ କରିବା। ଆମେରିକାରେ ଭାରତର ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ସ୍ରିଂଗ୍‌ଲା କହିଛନ୍ତି ଯେ କଶ୍ମୀର ମାମଲାରେ କେବେ ବି ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ା ଯାଇନାହିଁ। ଟ୍ରମ୍ପ୍‌ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ତାଙ୍କ ମଧ୍ୟସ୍ଥତା ଭାରତ ଏବଂ ପାକିସ୍ତାନ ଉପରେ ନିର୍ଭର କରୁଥିଲା। ଉଭୟ ରାଷ୍ଟ୍ର ପ୍ରସ୍ତାବକୁ ଗ୍ରହଣ କରିଥିଲେ ସେ ଏଥିରେ ଆଗକୁ ବଢ଼ିଥା‌ନ୍ତେ ବୋଲି ଟ୍ରମ୍ପ୍‌ କହିଛନ୍ତି। କିନ୍ତୁ ଭାରତ ଟ୍ରମ୍ପଙ୍କ ମଧ୍ୟସ୍ଥତା ବୟାନକୁ ଦୃଢ଼ ବିରୋଧ କରିବା ପରେ ଏବେ ଟ୍ରମ୍ପ୍‌ କଶ୍ମୀର ମାମଲାକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପୂର୍ଣ୍ଣ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଜୁଲାଇ ୨୨ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଆମେରିକା ଗସ୍ତ ସମୟରେ ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଥିଲା। ଟ୍ରମ୍ପ୍‌ ଏହି ବୈଠକରେ କହିଥିଲେ ଯେ ସେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଚାହାନ୍ତି। କିନ୍ତୁ ଭାରତ ରୋକଠୋକ୍‌ ଶୁଣାଇ ଦେଇଥିଲା ଯେ କଶ୍ମୀର ପ୍ରସଙ୍ଗ‌ରେ ମଧ୍ୟସ୍ଥତା ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର