ୱାସିଂଟନ୍ : ଚୀନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକୃତରେ କେତେ ରହିଛି ସେନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସନ୍ଦେହ ପ୍ରକାଶ କରିଛନ୍ତି। ଚୀନ୍ ସରକାରଙ୍କ ପକ୍ଷରୁ ଦେଶରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କର ଯେଉଁ ତଥ୍ୟ ଦିଆଯାଇଛି ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ପ୍। ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ କହିଛନ୍ତି, ଚୀନ୍ରେ ପ୍ରକୃତରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କେତେ ରହିଛି ତାହା ଆମେ କେମିତି ଜାଣିବୁ। ଟ୍ରମ୍ପ୍ କହିଛନ୍ତି ଚୀନ୍ ସହ ଆମେରିକାର ସମ୍ପର୍କ ଭଲ ରହିଛି କିନ୍ତୁ ଚୀନ୍ର ତଥ୍ୟରେ ସ୍ବଚ୍ଛତା ରହୁନି। ଏପରିକି ଭାଇରସ୍ ପାଇଁ ଆମେରିକା ସେନାକୁ ଦାୟୀ କରିବାପାଇଁ ଚୀନ୍ ଷଡ଼ଯନ୍ତ୍ର କରିଥିବା ଜଣାପଡ଼ିଛି। ଆମେରିକା ଇଣ୍ଟେଲିଜେନ୍ସର ଏକ ରିପୋର୍ଟକୁ ଆଧାର କରି ଆମେରିକାର ସାଂସଦମାନେ କହିଛନ୍ତି ଯେ , ଚୀନ୍ ଏହି ଭାଇରସ୍କୁ ନେଇ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଭୁଲ୍ ବାଟରେ ନେଉଛି। କିଛି ଗୁଇନ୍ଦା ଅଧିକାରୀ ମଧ୍ୟ ଦାବି କରୁଛନ୍ତି ଯେ, ଚୀନ୍ର ଏହି ତଥ୍ୟ ଭୁଲ। ଚୀନ୍ରେ ସରକାରୀ ତଥ୍ୟ ଅନୁଯାୟୀ ୮୨,୩୬୧ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୩,୩୧୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଆମେରିକାରେ ୨ ଲକ୍ଷରୁ ଅଧିକ ଲୋକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ଏବଂ ୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଚୀନ୍ ସରକାର ତଥ୍ୟ ଲୁଚାଇ ସମଗ୍ର ବିଶ୍ବକୁ ବିପଦ ମୁହଁକୁ ଠେଲି ଦେଉଛି ବୋଲି ଆମେରିକାର ଗୁଇନ୍ଦା ଅଧିକାରୀ କହିଛନ୍ତି। ଚୀନ୍ ଦେଉଥିବା ତଥ୍ୟ ସଂକ୍ରାନ୍ତରେ ଆମେରିକା ବିଦେଶ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିବାପାଇଁ ଆମେରିକା ସାଂସଦମାନେ କହିଛନ୍ତି।
ଚୀନ୍ର ତଥ୍ୟକୁ ଟ୍ରମ୍ପ୍ଙ୍କ ସନ୍ଦେହ
/sambad/media/post_attachments/wp-content/uploads/2020/04/download-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)