ବଢ଼ୁଛି ଟ୍ରମ୍ପ୍‌ଙ୍କ ସଙ୍କଟ, ୨ ପରାମର୍ଶଦାତାଙ୍କ ବିରୋଧରେ ଅପରାଧିକ ମାମଲା

ମହାଭିଯୋଗ ଆସିଲେ ଅର୍ଥନୀତି ଭୁଶୁଡ଼ିବ: ଟ୍ରମ୍ପ୍‌

ଓ୍ଵାସିଂଟନ:  ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ପାଇଁ ଏବେ ସଙ୍କଟ ବଢ଼ିବାରେ ଲାଗିଛି। ଟ୍ରମ୍ପ୍‌ଙ୍କ ଦୁଇ ଜଣ ପୂର୍ବ ପରାମର୍ଶଦାତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଛି। ଟ୍ରମ୍ପ୍‌ଙ୍କ ବିରୋଧରେ ମଧ୍ୟ କେତେକ ପ୍ରମାଣ ଅଦାଲତରେ ଉପସ୍ଥାପନ କରାଯାଇଛି। ଏଥିଯୋଗୁଁ ଟ୍ରମ୍ପ୍‌ଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ବେଳେ ଡେମୋକ୍ରାଟିକ୍‌ ପାର୍ଟିର କିଛି ନେତା ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଚର୍ଚ୍ଚା ଜାରି ରଖିଛନ୍ତି। ଏ ନେଇ ସରଗରମ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଟ୍ରମ୍ପ୍‌ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଯଦି ମତେ ରାଷ୍ଟ୍ରପତି ପଦରୁ ହଟାଇ ଦିଆଯିବ ତା’ହେଲେ ଦେଶର ଅର୍ଥନୀତିରେ ବଡ଼ ବିପର୍ଯ୍ୟୟ ଘଟିବ ଏବଂ ଲୋକେ ଗରିବ ହୋଇଯିବେ। ସେୟାର ବଜାରରେ ବଡ଼ ବିପର୍ଯ୍ୟୟ ମଧ୍ୟ ଆସିବ ବୋଲି ଟ୍ରମ୍ପ୍‌ ଚେତାଇ ଦେଇଛନ୍ତି। ଫକ୍ସ ନ୍ୟୁଜ୍‌ରେ ଆଜି ପ୍ରସାରିତ ହୋଇଥିବା ସାକ୍ଷାତକାରରେ ଟ୍ରମ୍ପ୍‌ କହିଛନ୍ତି ଯଦି କେବେ ମୋ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସେ, ତାହେଲେ ବଜାରରେ ପ୍ରଥମେ ବିପର୍ଯ୍ୟୟ ଘଟିବ। ଲୋକଙ୍କ ଆର୍ଥିକ ପ୍ରଗତି ଅଟକି ଯିବ ଏବଂ ଅଧିକାଂଶ ଲୋକ ଗରିବ ହୋଇଯିବେ। ଆମେରିକାରେ ଟିକସ ସୁଧାରକୁ ନେଇ ନିଜର ନୀତିକୁ ସଂପୂର୍ଣ୍ଣ ସମୟୋପଯୋଗୀ ବୋଲି ଟ୍ରମ୍ପ୍‌ କହିଛନ୍ତି। ଆମେରିକାକୁ ପୁଣି ଥରେ ମହାନ୍‌ କରିବା ପାଇଁ ଅହରହ ଭଲ କାମ କରୁଥିବା ଜଣେ ବ୍ୟକ୍ତି ବିରୋଧରେ ମହାଭିଯୋଗ ମାମଲା କିଭଳି ଚାଲିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ସଂସଦର ଉଭୟ ଗୃହରେ ଏବେ ବିରୋଧୀ ଡେମୋକ୍ରାଟିକ୍‌ ଦଳର ପର୍ଯ୍ୟାପ୍ତ ସଦସ୍ୟ ନଥିବାରୁ ମହାଭିଯୋଗ ପ୍ରସ୍ତାବ ଆଣିବା ଏତେ ସହଜ ନୁହେଁ। ଏହା ବ୍ୟତୀତ କ୍ଷମତାରେ ଥିବା ଜଣେ ରାଷ୍ଟ୍ରପତିଙ୍କୁ କୌଣସି ଆର୍ଥିକ ଅପରାଧ ମାମଲାରେ ସିଧାସଳଖ ଦାୟୀ କରିବାକୁ ଆମେରିକା ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ ।

ସମ୍ବନ୍ଧିତ ଖବର