ଟ୍ରମ୍ପ୍‌ ପ୍ରଶାସନର ନିଷ୍ପତ୍ତି: ଏଚ୍‌-୪ ଭିସାଧାରୀଙ୍କ ନିଯୁକ୍ତି ଅନୁମତି ରଦ୍ଦ ହେବ

ପ୍ରଭାବିତ ହେବେ ୧ ଲକ୍ଷ ଭାରତୀୟ ପରିବାର

ଓ୍ଵାସିଂଟନ୍‌: ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ଆସନ୍ତା ୩ ମାସ ମଧ୍ୟରେ ଏଚ୍‌-୪ ଭିସାଧାରୀଙ୍କ ନିଯୁକ୍ତି ଅନୁମତିକୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ୧ ଲକ୍ଷ ଭାରତୀୟ ପରିବାର ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି। ଏଚ୍‌-୪ ଭିସା ହାସଲ କରି ଆମେରିକାରେ ଚାକିରି କରୁଥିବା ବିଦେଶୀଙ୍କ ମଧ୍ୟରେ ସର୍ବାଧିକ ଭାରତୀୟ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଏଚ୍‌-୪ ଭିସାଧାରୀଙ୍କ ଓ୍ଵାର୍କ ପର୍‌ମିଟ୍‌କୁ ୩ ମାସ ମଧ୍ୟରେ ରଦ୍ଦ କରିବା ଲାଗି ଆଜି ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ଏକ କୋର୍ଟଙ୍କୁ ଅବଗତ କରିଛି। ଏଚ୍‌-୧ବି ଭିସା ଦ୍ୱାରା ଆମେରିକା ଯାଇ ବିଭିନ୍ନ କମ୍ପାନିରେ କାମ କରୁଥିବା ବିଦେଶୀଙ୍କ ପତି/ପତ୍ନୀଙ୍କୁ ଏଚ୍‌-୪ ଭିସା ପ୍ରଦାନ କରାଯାଇଥାଏ। ଏହି ଭିସାରେ ରହିଥିବା ଓ୍ଵାର୍କ ପର୍‌ମିଟ୍‌ ସୁବିଧା ଯୋଗୁ ଏଚ୍‌-୧ବି ଭିସାଧାରୀଙ୍କ ପତି କିମ୍ବା ପତ୍ନୀଙ୍କୁ ଆମେରିକାରେ ସହଜରେ ଚାକିରି ମିଳିଥାଏ। ଏହାଦ୍ୱାରା ସେମାନଙ୍କ ଆୟ ଦୁଇଗୁଣିତ ହୋଇଥାଏ। ଏହି ସୁବିଧାର ଫାଇଦା ଭାରତୀୟମାନେ ଅଧିକ ନେଇଥାନ୍ତି। ତେବେ ଆମେରିକୀୟଙ୍କ ନିମନ୍ତେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖିଥିବା ଟ୍ରମ୍ପ୍‌ ପ୍ରଶାସନ ଏଚ୍‌-୪ ଭିସାଧାରୀଙ୍କ ଓ୍ଵାର୍କ ପର୍‌ମିଟ୍‌ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ, ୨୦୧୫ ମେ ମାସରେ ତତ୍‌କାଳୀନ ବାରାକ୍‌ ଓବାମା ସରକାର ଏଚ୍‌-୪ ଭିସାରେ ଓ୍ଵାର୍କ ପର୍‌ମିଟ୍‌ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହାଦ୍ୱାରା ବିଦେଶୀମାନେ ଉପକୃତ ହୋଇଥିଲେ। ସେହି ସମୟଠାରୁ ୨୦୧୭ ଡିସେମ୍ବର ୨୫ ପର୍ଯ୍ୟନ୍ତ ଏଚ୍‌-୪ ଭିସାଧାରୀଙ୍କ ୧,୨୬,୮୫୩ ଆବେଦନକୁ ସରକାର ମଞ୍ଜୁରି ଦେଇସାରିଛନ୍ତି।

ସମ୍ବନ୍ଧିତ ଖବର