ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗର ଖୋଲା ଶୁଣାଣି

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗର ଖୋଲା ଶୁଣାଣି ଆଜି ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଆମେରିକାର ଜଣେ ରାଷ୍ଟ୍ରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗର ଜନ ଶୁଣାଣି ହେଉଛି, ଯାହାକୁ ଟେଲିଭିଜନରେ ସିଧା ପ୍ରସାରଣ କରାଯାଉଛି। ଏଥିରେ ରାଷ୍ଟ୍ରପତି ଟ୍ରମ୍ପ୍‌ ସାଧାରଣ ଜନତାଙ୍କ ପ୍ରଶ୍ନକୁ ସାମ୍ନା କରିପାରିବେ ଏବଂ ନିଜର ପକ୍ଷ ମଧ୍ୟ ରଖିପାରିବେ। ସୂଚନାଯୋଗ୍ୟ, ରିପବ୍ଲିକାନ୍ ପାର୍ଟିର ନେତା ତଥା ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ତଥା ଡେମୋକ୍ରା‌ଟିକ୍‌ ପାର୍ଟିର ଆଶାୟୀ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୟୁକ୍ରେନ୍‌ର ରାଷ୍ଟ୍ରମୁଖ୍ୟଙ୍କୁ ବାଧ୍ୟ କରୁଥିବା ସଂକ୍ରାନ୍ତ ଟେଲିଫୋନ୍‌ ବାର୍ତ୍ତାଳାପ ସାମ୍ନାକୁ ଆସିଛି। ଏହାକୁ ଟ୍ରମ୍ପ୍‌ଙ୍କ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ଭାବେ ବିଚାର କରାଯାଉଛି।

ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରା‌ଟିକ୍‌ ପାର୍ଟିର ଆଶାୟୀ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ଉପ ରାଷ୍ଟ୍ରପତି ଜୋ ବିଡେନ୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ପ୍ରାର୍ଥୀ ହେଉଛନ୍ତି। ଅପରପକ୍ଷେ, ଡେମୋକ୍ରାଟିକ୍‌ ପାର୍ଟିର ନେତା ଜୋ ବିଡେନ୍‌ ଏବଂ ତାଙ୍କ ପୁତ୍ରଙ୍କର ୟୁକ୍ରେନ୍‌ରେ ତୈଳ ବ୍ୟବସାୟ ରହିଛି। ଜୋ ବିଡେନ୍‌ ଏବଂ ତାଙ୍କ ପୁତ୍ରଙ୍କୁ ମିଛ ଦୁର୍ନୀତି ମାମଲାରେ ଛନ୍ଦି ସଙ୍କଟରେ ପକାଇବାକୁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ଟେଲିଫୋନ୍‌ ଯୋଗେ କହିଥିବା ଅଭିଯୋଗ ହୋଇଛି। ଏହା ଟ୍ରମ୍ପ୍‌ଙ୍କ ଦେଶ ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲା। ଆଜି ଏହାର ଜନ ଶୁଣାଣି ପରିପ୍ରେକ୍ଷୀରେ ଟ୍ରମ୍ପ୍‌ କହିଛନ୍ତି- ମୋ ବିରୋଧରେ ଡେମୋକ୍ରାଟ୍‌ମାନେ ସବୁଠାରୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର କରିଛନ୍ତି। ମୁଁ ଲୋକଙ୍କ ପାଇଁ କାମ କରୁଥିବାରୁ ସେମାନେ ମତେ ଅଟକାଇବାକୁ ସମଗ୍ର ବ୍ୟବସ୍ଥାକୁ କବଳିତ କରିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର