ୱାସିଙ୍ଗଟନ ଡିସି: ଆଜିଠୁ ଲାଗୁ ହେବ ଆମେରିକାର ନୂଆ ଟାରିଫ । ତୀବ୍ର ହେଲା ଆମେରିକା-ଚୀନ ଶୁଳ୍କ ଯୁଦ୍ଧ । ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଶୁଳ୍କ । ଆଜିଠୁ ଏହି ଶୁଳ୍କ ବିଧିବଦ୍ଧ ଭାବେ ଲାଗୁ ହେବ । ଚୀନ ପାଲଟା ୩୪ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର ନ କରିବାକୁ ଆମେରିକା ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ଧମକ ଦେଇଥିଲା । ତେବେ ଚୀନ ଶୁଳ୍କ ପ୍ରତ୍ୟାହାର ନ କରିବାରୁ ଟ୍ରମ୍ପ ଚରମ ନିଷ୍ପତ୍ତି ନେଇଛନ୍ତି । ବେଜିଂ ଉପରେ ମୋଟ ୧୦୪ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଏହା ପରେ ବିଶ୍ବରେ ବାଣିଜ୍ୟ ଯୁଦ୍ଧର ବିଗୁଲ ବାଜିଛି ।
ତେବେ ବିଶ୍ବରେ ଟାରିଫକୁ ନେଇ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ଚୀନ-ଆମେରିକା ମୁହାଁମୁହିଁ ହୋଇଛନ୍ତି । ବେଜିଂ ଆମେରିକା ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇବା ଘୋଷଣା କରିବାର ୪୮ ଘଣ୍ଟା ନ ପୂରୁଣୁ ଗତକାଲି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ । ଫଳରେ ଚୀନ ସାମଗ୍ରୀ ଉପରେ ଆମେରିକାର ମୋଟ ଟାରିଫ ୯୪ ପ୍ରତିଶତ ଛୁଇଁଥିଲା । ପୂର୍ବରୁ ୩୪ ପ୍ରତିଶତ ଟାରିଫ ସହ ନୂଆ ୫୦ ପ୍ରତିଶତ ଏହାଛଡ଼ା ସବୁ ଦେଶ ଉପରେ ୧୦ ପ୍ରତିଶତ ଗ୍ଲୋବାଲ ଟାରିଫକୁ ମିଶାଇ ଚୀନ ଉପରେ ୯୪ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ପୁଣିଥରେ ୧୦୪ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା ।
ଯେସାକୁ ତେସା ନୀତିରେ ବିଶ୍ବାସ ରଖୁଥିବା ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ଟାରିଫ ଯୁଦ୍ଧ ଆଗକୁ ବିଶ୍ବ ବଜାରକୁ ଅଧିକ ପ୍ରଭାବିତ କରିବ । ସେପଟେ ଜବାବରେ ଜିନପିଙ୍ଗ ପୁଣି ଟାରିଫ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି । ଯଦି ଏଭଳି ହୁଏ ଭାରତକୁ ଫାଇଦା ମିଳିବ । ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ବିଶ୍ବର ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଆମେରିକା ସମେତ ଭାରତର ସେୟାର ବଜାର କ୍ରାସ ହୋଇଛି । ଫଳରେ ନିବେଶକମାନେ ଚିନ୍ତାରେ ପଡିଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ରେ ବିଶ୍ୱର ବିଭିନ୍ନ ଦେଶକୁ ଟାର୍ଗେଟ କରି ପାଲଟା ଶୁଳ୍କ ଘୋଷଣା କରିଥିଲେ । ଅଟୋ ମୋବାଇଲ, ଦୁଗ୍ଧ, ଇସ୍ପାତ ଏବଂ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ର ଏହି ଶୁଳ୍କ ଦ୍ୱାରା ବିପଦରେ ପଡ଼ିଛି । ରାଷ୍ଟ୍ରପତି ଚୀନରୁ ଆମଦାନୀ ଉପରେ ୩୪ ପ୍ରତିଶତ ଏବଂ ୟୁରୋପୀୟ ସଂଘରୁ ଆମଦାନୀ ଉପରେ ୨୦ ପ୍ରତିଶତ ନୂଆ ଶୁଳ୍କ ଲାଗୁ କରିଛନ୍ତି । ଦୁହେଁ ଆମେରିକାର ପ୍ରମୁଖ ବାଣିଜ୍ୟ ସହଯୋଗୀ ।