ୱାସିଂଟନ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ସେ ସ୍ବାକ୍ଷର କରିଥିବା ଏକ ଏକ୍ଜିକ୍ୟୁଟିଭ୍ ଅର୍ଡରରୁ ଜଣାପଡ଼ିଛି ଯେ ଭାରତ ପଠାଉଥିବା ଜିନିଷ ଉପରେ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବ। ଏହି ଆଦେଶ ଜାରି ହେବାର ୨୧ ଦିନ ଭିତରେ ଲାଗୁ ହେବ। ତେବେ ଭାରତରୁ ଜାହାଜରେ ପଠାଇ ଦିଆଯାଇଥିବା ଏବଂ ଆମେରିକା ଆନୁଷ୍ଠାନିକ ଭାବେ ଚଳିତ ବର୍ଷ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ କିଣୁଥିବା ଜିନିଷ ଉପରେ ଏହି ଶୁଳ୍କ ଲାଗିବ ନାହିଁ। ଟ୍ରମ୍ପ ଏହା ମଧ୍ୟ ଜଣାଇଛନ୍ତି ଯେ ଯଦି ଭାରତ ପାଲଟା ପଦକ୍ଷେପ ନେବାକୁ ପ୍ରୟାସ କରିବ ତେବେ ଶୁଳ୍କ ଆହୁରି ବଢ଼ିବ।
ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତାହାକୁ ଦୁର୍ଭାଗ୍ୟଜନକ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ ରୁଷ୍ରୁ ତେଲ କିଣୁଥିବାରୁ କିଛି ଦିନ ହେଲାଣି ଭାରତକୁ ଆମେରିକା ଟାର୍ଗେଟ୍ କରୁଛି। ବଜାର ସ୍ଥିତି ଓ ଭାରତର ୧୪୦ କୋଟି ଜନତାଙ୍କ ଶକ୍ତି ସୁରକ୍ଷା ନିଶ୍ଚିତ କରିବା ଲାଗି ଆମେ ତେଲ ମଗାଉଥିବା ନେଇ ଆମ ଅଭିମୁଖ୍ୟକୁ ସ୍ପଷ୍ଟ କରିସାରିଛୁ। ନିଜ ସ୍ବାର୍ଥ ରକ୍ଷା ଲାଗି ଅନ୍ୟ ଦେଶଗୁଡ଼ିକ ପଦକ୍ଷେପ ନେଉଥିବା ବେଳେ ଭାରତ ଉପରେ ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେରିକାର ଏହି ପଦକ୍ଷେପ ଅଯୌକ୍ତିକ ଓ ଅନୁଚିତ ବୋଲି ଭାରତ କହିବା ସହ ଜାତୀୟ ସ୍ବାର୍ଥ ରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜଣାଇଛି।
ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମତ ଦେଇ ଆମେରିକାର ପଦକ୍ଷେପକୁ ଅର୍ଥନୈତିକ ବ୍ଲାକ୍ମେଲ୍ ବୋଲି କହିଛନ୍ତି। ଭାରତକୁ ଉପହାସ କରି ଏକ ଅନୁଚିତ ବାଣିଜ୍ୟ ରାଜିନାମା କରିବାକୁ ଉଦ୍ୟମ ହେଉଛି। ଜାତୀୟ ସ୍ବାର୍ଥ ଉପରେ ନିଜ ଦୁର୍ବଳତା ଭାରି ପଡ଼ିବାକୁ ନ ଦେବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି। ଭାରତକୁ ଚାପରେ ରଖି ସୁହାଇବା ଭଳି ବାଣିଜ୍ୟ ରାଜିନାମା ହାସଲରେ ବିଫଳ ହେବା ପରେ ଟ୍ରମ୍ପ ବିଚଳିତ ହୋଇ ପଡ଼ିଛନ୍ତି। ରୁଷ୍ରୁ ତେଲ କିଣୁଥିବାରୁ ଭାରତକୁ ବଦନାମ କରିବା ଲାଗି ପ୍ରୟାସ କରିବା, ପାକିସ୍ତାନ ସହ ଦେଖାଦେଇଥିବା ଉତ୍ତେଜନା ବାହାନାରେ ଲାଭ ଉଠାଇବା ଏବଂ ଅତିରିକ୍ତ ଶୁଳ୍କ ଲଗାଇବା ଭଳି ଧମକ ଦେଇ ଟ୍ରମ୍ପ ଯଥାସମ୍ଭବ ଚାପ ପକାଇବାକୁ ଉଦ୍ୟମ କରୁଛନ୍ତି। ଭାରତ ମଧ୍ୟ ସିଧାସଳଖ ପ୍ରତିକ୍ରିୟା ଦେଇ ଆମେରିକା ଓ ୟୁରୋପୀୟ ସଂଘ (ଇୟୁ)ର ଦୋମୁହାଁ ନୀତିର ମୁଖା ଖୋଲିଦେଇଛି। ନିଜେ ରୁଷ୍ ସହ କାରବାର କରୁଥିବା ବେଳେ ଭାରତକୁ ନିର୍ଦ୍ଦିଷ୍ଟ ଭାବେ ଆପେକ୍ଷ କରାଯାଉଛି। ଟ୍ରମ୍ପଙ୍କ ଏହି ଚାଲାକିକୁ ରୁଷ୍ ମଧ୍ୟ ନିନ୍ଦା କରିଛି। ଏକ ସାର୍ବଭୌମ ରାଷ୍ଟ୍ରର ନିଜ ବାଣିଜ୍ୟ ସହଯୋଗୀ ଚୟନ କରିବା ଅଧିକାର ରହିଛି। ରୁଷ୍ ସହ କାରବାର ନ କରିବା ଲାଗି ଚାପ ପକାଇବା ଧମକ ସହ ସମାନ ବୋଲି ରୁଷ୍ କହି ଭାରତର ଆଭିମୁଖ୍ୟକୁ ସମର୍ଥନ ଜଣାଇଛି। ରୁଷ୍ ସହ ଆମେରିକାର କାରବାର ସମ୍ପର୍କରେ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ ସେ କିଛି ଜାଣିନାହାନ୍ତି। ତେବେ ଗତକାଲି ସେ ଧମକ ଦେଇଥିଲେ, ୨୪ ଘଣ୍ଟା ଭିତରେ ଭାରତ ଉପରେ ଚଢ଼ା ଶୁଳ୍କ ଲଗାଯିବ। ଭାରତ ଏକ ଭଲ ବାଣିଜ୍ୟ ସହଯୋଗୀ ନୁହେଁ। ଏହା ବିଶ୍ବର ଅନ୍ୟତମ ସର୍ବାଧିକ ଶୁଳ୍କ ଲଗାଇଥିବା ଦେଶ ବୋଲି ଟ୍ରମ୍ପ କହିଥିଲେ। ରୁଷ୍ଠାରୁ ତେଲ କିଣି ଯୁଦ୍ଧାସ୍ତ୍ର ପାଇଁ ଭାରତ ଟଙ୍କା ଯୋଗାଉଥିବା ସେ ଅଭିଯୋଗ କରିଥିଲେ।