ଚୀନ୍‌ରେ ଟ୍ରମ୍ପ୍‌: ଉତ୍ତର କୋରିଆ ସହ ସଂପନ୍ନ ଛିନ୍ନ କରିବାକୁ ଆହ୍ଵାନ

ବେଜିଂ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ବୁଧବାର ବେଜିଂରେ ପହଞ୍ଚିଛନ୍ତି। ଚୀନ୍‌ ସହିତ ଆମେରିକାର ବାଣିଜ୍ୟିକ ସଂପର୍କରେ ସୁଧାର ଏବଂ ଉତ୍ତର କୋରିଆର ପରମାଣୁ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ଅଙ୍କୁଶ ଲଗାଇବା ପାଇଁ ଚୀନ୍‌ର ହସ୍ତକ୍ଷେପ ଏବେ ଆମେରିକା ପାଇଁ ପ୍ରମୁଖ ପ୍ରସଙ୍ଗ ରହିଥିବା ବେଳେ ଅନ୍ୟ ଦ୍ୱିପାକ୍ଷିକ ସଂପର୍କ ନେଇ ମଧ୍ୟ ଆଲୋଚନା ହେବ। ଗତକାଲି ଦକ୍ଷିଣ କୋରିଆ ଗସ୍ତ ବେଳେ ଚୀନ୍‌ ଉତ୍ତର କୋରିଆ ନେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ ଯେ ଉତ୍ତର କୋରିଆ ଉପରେ ପ୍ରବଳ କୂଟନୈତିକ ଚାପ ସୃଷ୍ଟି କରିବା ପାଇଁ ଚୀନ୍‌ ଆଗଭର ହେବା ଆବଶ୍ୟକ। ଜାତିସଂଘର କଟକଣା ଲାଗୁ କରିବା ଏବଂ ଉତ୍ତର କୋରିଆ ସହ ବାଣିଜ୍ୟ କାରବାର ଛିନ୍ନ କରିବାକୁ ଟ୍ରମ୍ପ୍‌ ଚୀନ୍‌କୁ ଆହ୍ଵାନ ଦେଇଥିଲେ। ଆଜି ଟ୍ରମ୍ପ୍‌ ବେଜିଂରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହିତ ସେ ୧୭୭୧ରେ ନିର୍ମିତ ପେକିଂ ଅପେରା ହାଉସ୍‌ ଗସ୍ତ କରଥିଲେ। ଏହା ସହିତ ବେଜିଂର ଐତିହାସିକ ପ୍ରାସାଦ ରହିଥିବା ଅଂଚଳକୁ ମଧ୍ୟ ଟ୍ରମ୍ପ୍‌ ଯାଇଥିଲେ। ରାଷ୍ଟ୍ରପତି ଜିନପିଙ୍ଗ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଇଭାଙ୍କା ଭାଷା ଶିକ୍ଷା କରିବାରେ ଯଥେଷ୍ଟ ଦକ୍ଷତା ହାସଲ କରିଛନ୍ତି ଏବଂ ତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ବ୍ୟାପକ।

ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଚୀନ୍‌ର ଏକଚାଟିଆ ବାଣିଜ୍ୟ କାରବାରକୁ ବିରୋଧ କରିବା ସହ ଅନେକ କଠୋର ନିଷ୍ପତ୍ତି ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଚୀନ୍‌ ସାଗରକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟ ଇତିମଧ୍ୟରେ ଜଟିଳ ରୂପ ନେଇଛି। ଏଭଳି ସ୍ଥିତିରେ ଟ୍ରମ୍ପ୍‌-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନା ଉପରେ ପୂରା ବିଶ୍ୱର ନଜର ରହିଛି ।

ସମ୍ବନ୍ଧିତ ଖବର