ଓ୍ଵାସିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ସ୍ୱାସ୍ଥ୍ୟ ଖୁବ୍ ଭଲ ଅଛି। ଶୁକ୍ରବାର ଦିନ ଓ୍ଵାଲ୍ଟର୍ ରିଡ୍ ମିଲିଟାରି ହସ୍ପିଟାଲ୍ରେ ପ୍ରଥମ ଥର ପାଇଁ ଟ୍ରମ୍ପ୍ଙ୍କ ମେଡିକାଲ୍ ଚେକ୍ଅପ୍ କରାଯିବା ପରେ ହ୍ଵାଇଟ୍ ହାଉସ୍ ଡାକ୍ତର ଏ କଥା କହିଛନ୍ତି। ଟ୍ରମ୍ପ୍ଙ୍କ ସ୍ୱାସ୍ଥ୍ୟ ବିଶେଷକରି ମାନସିକ ଅବସ୍ଥା ଠିକ୍ ନାହିଁ ବୋଲି ନିକଟରେ ପ୍ରକାଶିତ ଏକ ପୁସ୍ତକ ପ୍ରକାଶ ପାଇବା ଏବଂ ତାଙ୍କର ନିନ୍ଦୁକମାନେ କହିବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ହ୍ଵାଇଟ୍ ହାଉସ୍ରୁ ପ୍ରକାଶିତ ଏକ ବିବୃତିରେ ଡାକ୍ତର ରନି ଜାକ୍ସନ୍ କହିଛନ୍ତି: ଆଶାତୀତ ଭାବେ ଉତ୍ତମ ପରୀକ୍ଷା କରାଯାଇଥିଲା। ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଖୁବ୍ ଭଲ ଅଛି। ତାଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତ ବିଷଦ ବିବରଣୀ ମଙ୍ଗଳବାର ଦିନ କହିବି। ଶୁକ୍ରବାର ଅପରାହ୍ଣରେ କରାଯାଇଥିବା ଚେକ୍ଅପ୍ ନିମନ୍ତେ ଟ୍ରମ୍ପ୍ ଓ୍ଵାସିଂଟନ୍ ବାହାରେ ଥିବା ମେରିଲାଣ୍ଡ୍ର ବିଥିସ୍ଡାସ୍ଥିତ ଡାକ୍ତରଖାନାରେ ପ୍ରାୟ ତିନି ଘଣ୍ଟା କଟାଇଥିଲେ। ଏହା ପରେ ରାଷ୍ଟ୍ରପତି ଭାବେ ସେ ତାଙ୍କର ପ୍ରଥମ ଫ୍ଲୋରିଡା ଗସ୍ତରେ ଯାଇଥିଲେ।
/sambad/media/post_attachments/wp-content/uploads/2018/01/trump1-300x200.jpg)
‘ଫାୟାର୍ ଆଣ୍ଡ୍ ଫ୍ୟୁରି: ଇନ୍ସାଇଡ୍ ଦି ଟ୍ରମ୍ପ୍ ହ୍ଵାଇଟ୍ ହାଉସ୍’ ନାମକ ନୂତନ ବହିରେ ଲେଖକ ମାଇକେଲ୍ ଉଲ୍ଫ୍ ଟ୍ରମ୍ପ୍ଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ଉପରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ।
ସ୍ୱାସ୍ଥ୍ୟ ପରୀକ୍ଷାରେ ଟ୍ରମ୍ପ୍ଙ୍କ ବ୍ଲଡ୍ ପ୍ରେସର୍, କୋଲେଷ୍ଟେରୋଲ୍, ବ୍ଲଡ୍ ସୁଗାର୍, ହାର୍ଟ ରେଟ୍ ଏବଂ ଓଜନ ଆଦି ପରୀକ୍ଷା କରାଯାଇଥିଲା। ସେ ସବୁ ପରୀକ୍ଷାରୁ ମିଳିଥିବା ନିର୍ଦ୍ଦିଷ୍ଟ ଫଳାଫଳ ହ୍ଵାଇଟ୍ ହାଉସ୍ ପ୍ରକାଶ କରି ନାହିଁ। ଡାକ୍ତର ଜାକ୍ସନ୍ ସେ ସବୁ ଫଳାଫଳ ମଙ୍ଗଳବାର ଦିନ ଘୋଷଣା କରିବେ। ଡାକ୍ତର ଜାକ୍ସନ୍ ୨୦୦୬ରେ ହ୍ଵାଇଟ୍ ହାଉସ୍ର ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ।
ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ ନ ହେଲେ ମଧ୍ୟ ସେମାନେ ଯେ କର୍ତ୍ତବ୍ୟ ପାଇଁ ଠିକ୍ ଅଛନ୍ତି ବୋଲି ଘୋଷଣା କରାଇବାକୁ ଆଧୁନିକ ଆମେରିକୀୟ ରାଷ୍ଟ୍ରପତିମାନେ ଥରକୁ ଥର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥାଆନ୍ତି।