ତେହେରାନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପତ୍ନୀ ମେଲାନିଆ ଟ୍ରମ୍ପ୍‌ଙ୍କ ସହିତ ଅଚାନକ ବଡ଼ଦିନ ରାତିରେ ୱାସିଂଟନ୍‌ରୁ ବାହାରି ଇରାକ୍‌ରେ ଅବସ୍ଥିତ ଆମେରିକୀୟ ସେନା ଶିବିରରେ ପହଞ୍ଚିଥିଲେ। ସୈନିକଙ୍କ ସହ ବଡ଼ଦିନ କଟାଇବାକୁ ଟ୍ରମ୍ପ୍‌ଙ୍କ ଏହି ଯୋଜନା ସମ୍ପର୍କରେ ପୂର୍ବରୁ କେହି ସୁରାକ୍‌ ପାଇନଥିଲେ। ସୈନିକଙ୍କୁ ଉଦ୍‌ବୋଧନ ଦେଇ ଟ୍ରମ୍ପ୍ କହିଥି‌ଲେ, ରଣନୀତିକ ଦୃଷ୍ଟିରୁ ଆମେରିକା ଏବେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରୁଛି। ଆମେରିକା ଲଗାତାର ବିଶ୍ବର ସୁରକ୍ଷା ପାଇଁ ଠିକା ନେଇପାରିବ ନାହିଁ ଏବଂ ଏ ବାବଦରେ ଯାହା ଉଚିତ ତାହା କରାଯିବ। ସୈନିକଙ୍କ ଗହଣରେ କିଛି ସମୟ କଟାଇବା ପରେ ଟ୍ରମ୍ପ୍‌ ଗଣମାଧ୍ୟମକୁ କହିଥିଲେ ଯେ ସିରିୟା ଏବଂ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ଠିକ୍‌ ସମୟରେ ନିଆଯାଇଛି ଏବଂ ଆମେରିକା ତା’ର ଲକ୍ଷ୍ୟରେ ସଫଳ ହୋଇଛି।