ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସଂପର୍କକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ବିଶ୍ୱାସ କରନ୍ତି ଯେ ଭାରତ ଏବଂ ପାକିସ୍ତାନ "ଏକତ୍ର ବହୁତ ଭଲ ଭାବରେ ରହିବେ"।

Advertisment

ମିଶରରେ ଗାଜା ଶାନ୍ତି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ପଛରେ ଠିଆ ହୋଇଥିବା ସମୟରେ ସେ ମୋଦୀଙ୍କୁ ଜଣେ ଉତ୍ତମ ବନ୍ଧୁ ବୋଲି ସମ୍ବୋଧନ କରି ଏପରି ମନ୍ତବ୍ୟ ଦେଇଛନ୍ତି। 

"ଭାରତ ଏକ ମହାନ ଦେଶ। ଯାହାର ଶୀର୍ଷ ପ‌ଦରେ ମୋର ଜଣେ ବହୁତ ଭଲ ବନ୍ଧୁ ଅଛନ୍ତି।  ସେ ଖୁବ୍ ଚମତ୍କାର କାମ କରିଛନ୍ତି। ମୁଁ ଭାବୁଛି ଯେ ପାକିସ୍ତାନ ଏବଂ ଭାରତ ଏକାଠି ବହୁତ ଭଲ ଭାବରେ ରହିବେ," ଟ୍ରମ୍ପ କ୍ୟାମେରା ଚାହିଁ ହସିବା ସହ ସାମ୍ବାଦିକମାନଙ୍କୁ ଏପରି କହିଛନ୍ତି।

କେବଳ ସେତିକି ନୁହେଁ; ସେ ପଛରେ ଛିଡ଼ା ହୋଇଥିବା ଶେହବାଜ୍‌ଙ୍କ ଆଡ଼କୁ ବୁଲିଯାଇ ଠିକ୍‌ କହୁଛି ନା? ବୋଲି ପ୍ରଶ୍ନ କରିଥିଲେ। ଏହାକୁ ସମର୍ଥନ ଜଣାଇ ଶେହବାଜ୍‌ ବି ମୁଣ୍ଡ ହଲାଇ ହଁ କହିଥିଲେ। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି। 

ଉଲ୍ଲେଖଯୋଗ୍ୟ, ହମାସ ଓ ଇସ୍ରାଏଲ ମଧ୍ୟରେ ପ୍ରାୟ ୨ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଗତକାଲି ଇସ୍ରାଏଲକୁ ଏକ ସ୍ବତନ୍ତ୍ର ଗସ୍ତରେ ଟ୍ରମ୍ପ ଯିବା ସହ ସଂସଦ ନେସେଟ୍‌ରେ ଉଦ୍‌ବୋଧନ ଦେଇଛନ୍ତି। ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇ ଟ୍ରମ୍ପ କହିଛନ୍ତି, ଦୀର୍ଘ ଏବଂ ଯନ୍ତ୍ରଣାଦାୟକ ଦୁଃସ୍ବପ୍ନରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମଧ୍ୟପ୍ରାଚ୍ୟରେ ନୂଆ ପ୍ରଭାତର ଏହା ଐତିହାସିକ କ୍ଷଣ ବୋଲି ସେ କହିଛନ୍ତି।