ଟ୍ରମ୍ପ୍‌ଙ୍କ ବିଦ୍ରୋହ : ଆମେରିକା ସଂସଦ ଭବନରେ ଧ‌ସେଇ ପଶିଲେ ସମର୍ଥକ, ବ୍ୟାପକ ହିଂସାରେ ୪ ମୃତ

କ୍ୟାପିଟଲ୍‌ ହିଂସା ରାଷ୍ଟ୍ରଦ୍ରୋହ: ବାଇଡେନ

ୱାସିଂଟନ : ଆମେରିକାରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସ୍ବୀକାର କରିବାକୁ ରାଜି ନଥିବା ଡୋନାଲଡ୍‌ ଟ୍ରମ୍ପଙ୍କ ବିଦ୍ରୋହ ଯୋଗୁଁ ବ୍ୟାପକ ହିଂସାକାଣ୍ଡ ଘଟି ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଟ୍ରମ୍ପଙ୍କ ଆହ୍ବାନରେ ତାଙ୍କର ହଜାର ହଜାର ସମର୍ଥକ ୱାସିଂଟନ ସ୍ଥିତ କ୍ୟାପିଟଲ ବିଲ୍‌ଡିଂ ବା ସଂସଦ ଭବନରେ ଧ‌େ‌ସଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଇଲେକ୍‌ଟୋରାଲ କଲେଜ ଭୋଟ୍‌ର ଗଣତି ଚାଲିଥିବା ବେଳେ ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି। ପୁଲିସ ଏବଂ ଟ୍ରମ୍ପ୍‌ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ପୁଲିସ ଗୁଳିରେ ଜଣେ ମହିଳାଙ୍କର ମଧ୍ୟ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ସଂସଦ ଭବନରେ ଏଭଳି ହିଂସା ଯୋଗୁଁ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ପ୍ରମାଣପତ୍ର ଦେବାରେ ବିଳମ୍ବ ଘଟିଥିଲା। ଆମେରିକା କଂଗ୍ରେସର ସଦସ୍ୟମାନଙ୍କ ଇଲେକ୍‌ଟୋରାଲ ଭୋଟ୍‌ ଗଣତିକୁ ଭଣ୍ଡୁର କରିବା ପାଇଁ ଏହା ଏକ ଯୋଜନାବଦ୍ଧ ହିଂସା ଥିଲା ବୋଲି ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ କୁହାଯାଇଛି। ଟ୍ରମ୍ପ୍‌ ସମର୍ଥକମାନେ ଯେଭଳି ଭାବେ ସୁରକ୍ଷା ବ୍ୟବସ୍ଥାକୁ ଧ୍ବସ୍ତ କରି କ୍ୟାପିଟଲ ବିଲ୍‌ଡିଂକୁ ନିଜ ଅକ୍ତିଆରକୁ ନେବାକୁ ପ୍ରୟାସ କରିଥିଲେ ତାହା ଆମେରିକାର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ବଡ଼ ଝଟ୍‌କା ବୋଲି ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଏବଂ ବିଲ୍‌ କ୍ଲିଣ୍ଟନ୍‌ କହିଛନ୍ତି । କ୍ୟାପିଟଲ ଭବନରେ ଥିବା ଅନେକ କାର୍ଯ୍ୟାଳୟକୁ ଦଙ୍ଗାକାରୀମାନେ ଛାରଖାର କରିଦେଇଛନ୍ତି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା) ଏବଂ ସିନେଟ୍‌ ରହିଥିବା କ୍ୟାପିଟଲ ଭବନକୁ ଏହି ଘଟଣା ପରେ ସଂପୂର୍ଣ୍ଣ ସିଲ୍‌ କରିଦିଆଯାଇଛି।

ଦଙ୍ଗାକାରୀଙ୍କ ଉପଦ୍ରବ ଚାଲିଥିବା ସମୟରେ ପୁଲିସ ବାହିନୀ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଏବଂ ଅନ୍ୟ ସାଂସଦମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲେ। ଟ୍ରମ୍ପ୍‌ ସମର୍ଥକଙ୍କ ଆକ୍ରମଣରେ ବହୁ ସଂଖ୍ୟାରେ ଅଧିକାରୀ ଆହତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସମଗ୍ର ୱାସିଂଟନରେ ତୀବ୍ର ଉତ୍ତେଜନା ଲାଗି ରହିଛି ଏବଂ ସପ୍ତାହେ ପାଇଁ କର୍ଫ୍ୟୁ ଲାଗୁ ହୋଇଛି। ତେବେ ଆନ୍ଦୋନକାରୀମାନେ କର୍ଫ୍ୟୁ ନିୟମକୁ ଉଲ୍ଲଂଘନ କରି ରାସ୍ତାକୁ ଓହ୍ଲ‌ାଉଥିବା ଦେଖିବାକୁ ମିଳିଛି ।

କ୍ୟାପିଟଲ ହିଂସା ମାମଲାରେ ପୁଲିସ ୫୦ରୁ ଅଧିକ ଲୋକଙ୍କୁ ଅଟକ ରଖିଥିବା ବେଳେ ଅନେକ ବନ୍ଧୁକ ମଧ୍ୟ ଜବତ କରିଛି। ଘଟଣାସ୍ଥଳରୁ ୧୩ ଜଣ ଦଙ୍ଗାକାରୀ ଗିରଫ ହୋଇଛନ୍ତି। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ହିଂସାକୁ ରାଷ୍ଟ୍ରଦ୍ରୋହ ବୋଲି କହିଛନ୍ତି। ଲୋକଙ୍କୁ ଉସୁକାଇ ଏଭଳି ହିଂସା ସୃଷ୍ଟି କରାଯାଇଛି ଏବଂ ଏଭଳି କରି ଟ୍ରମ୍ପ୍‌ ରାଷ୍ଟ୍ରପତି ପଦର ଗରିମାକୁ ନଷ୍ଟ କରିଛନ୍ତି ବୋଲି ବାଇଡେନ କହିଛନ୍ତି।

ହିଂସା ପୂର୍ବରୁ ସଂସଦର ମିଳିତ ଅଧିବେଶନରେ ଟ୍ରମ୍ପ୍‌ ତାଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ସେ ନିର୍ବାଚନରେ ପରାଜୟକୁ ସ୍ବୀକାର କରିବେ ନାହିଁ । ନିର୍ବାଚନରେ ବଡ଼ ଧରଣର ଜାଲିଆତି ହୋଇଛି ଏବଂ ଏହାର ଫଳ ସ୍ବରୂପ ବାଇଡେନ ନିଜ ସପକ୍ଷରେ ପରିଣାମକୁ ହଡ଼ପ କରିନେଇଛନ୍ତି ବୋଲି ସେ କହିଥିଲେ। ଏହାପରେ ଟ୍ରମ୍ପ୍‌ ନିଜ ସମର୍ଥକଙ୍କୁ ମଧ୍ୟ ନିର୍ବାଚନ ଜାଲିଆତିର ଜୋର୍‌ଦାର ବିରୋଧ କରିବାକୁ ଆହ୍ବାନ ଦେଇଥିଲେ। ଟ୍ରମ୍ପ୍‌ ତାଙ୍କର ଉଦ୍‌ବୋଧନରେ ବାରମ୍ବାର ଦାବି କରିଥିଲେ ଯେ ଏହି ନିର୍ବାଚନରେ ତାଙ୍କର ସ୍ପଷ୍ଟ ବିଜୟ ହୋଇଛି। ଟ୍ରମ୍ପ୍‌ଙ୍କ ଭାଷଣର କିଛି ଘଣ୍ଟା ପରେ ତାଙ୍କ ସମର୍ଥକମାନେ କ୍ୟାପିଟଲ୍‌ ବିଲ୍‌ଡିଂରେ ଧସେଇ ପଶିଥିଲେ ଏବଂ ବ୍ୟାପକ ହିଂସା ଭିଆଇଥିଲେ।

ତେବେ ହିଂସାକାଣ୍ଡ ପରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହୋଇଥିବା ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୨୦ ତାରିଖରେ ସଂପୂର୍ଣ୍ଣ ଶୃଙ୍ଖଳା ସହିତ କ୍ଷମତା ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର