ଓ୍ଵାସିଂଟନ: ଆସନ୍ତା ୧୨ ତାରିଖରେ ଉତ୍ତରକୋରିଆ ଶସକ କିମ୍ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ଐତିହାସିକ ଶିଖର ସମ୍ମିଳନୀ ଉପରେ ସାରା ବିଶ୍ୱର ନଜର ରହିଛି। ଉତ୍ତର କୋରିଆ ପରମାଣୁ ଅସ୍ତ୍ର ନିଷ୍କ୍ରିୟ କରିବା ନେଇ ରାଜି ହେବା ପରେ ଦୁଇ ଦେଶ ମଧ୍ୟରେ ଏହି ବୈଠକ ହେବାକୁ ଯାଉଛି। ଡୋନାଲଡ ଡ୍ରମ୍ପ ଆଜି ଜାପାନ ରାଷ୍ଟ୍ରପତି ସିଞ୍ଜୋ ଆବେଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏହି ବୈଠକ ନେଇ ଅତ୍ୟନ୍ତ ଉତ୍ସୁକ ଥିବା ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ସବୁକିଛି ଠିକ୍ ଚାଲେ ତେବେ ଅତିଶୀଘ୍ର କିମ୍ଙ୍କୁ ହ୍ଵାଇଟ ହାଉସ୍ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରାଯିବ। କିମ୍ ଗୋଟିଏ ଥର ଏହି ବୈଠକ ରଦ୍ଦ କରିବା ନେଇ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେ ତାଙ୍କ ପାଇଁ, ତାଙ୍କ ପରିବାର ଓ ଦେଶ ପାଇଁ ଏହି ବୈଠକ କରାଇବା ନେଇ ନିଜର ମତ ବଦଳାଇବେ ବୋଲି ଅଶା ରହିଥିଲା ବୋଲି ଟ୍ରମ୍ପ କହିଛନ୍ତି। ଏହି ପ୍ରସଙ୍ଗରେ ମତବ୍ୟକ୍ତ କରି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ କହିଛନ୍ତି ଯେ, ଏହି ବୈଠକ ପରେ ଉତ୍ତର କୋରିଆର ଭାଗ୍ୟ ପରିବର୍ତ୍ତନ ହୋଇଯିବ। ସେପଟେ, ଉତ୍ତରକୋରିଆ ଶାସକ କିମ୍ ମଧ୍ୟ ଏହି ବୈଠକ ପାଇଁ ବ୍ୟଗ୍ର ଥିବା ଜଣାପଡ଼ିଛି। ସିଙ୍ଗାପୁରରେ ଟ୍ରମ୍ପଙ୍କ ସହ ସେ ତାଙ୍କ ଦେଶର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବେ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଏହି ଶିଖର ବୈଠକ ଉପରେ ସାରା ବିଶ୍ୱର ନଜର ରହିଥିବା ବେଳେ, ବିଶ୍ୱବ୍ୟାପୀ ୨୫ଶହ ସାମ୍ବାଦିକ ଦୁଇ ନେତାଙ୍କ ଏହି ଆଲୋଚନାକୁ ରିପୋର୍ଟ କରିବେ ବୋଲି ଜଣାପଡ଼ିଛି। ବୈଠକ ପାଇଁ ଆମେରିକା ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ୧୦ ତାରିଖ ସୁଦ୍ଧା ଉତ୍ତରକୋରିଆ ଅଧିକାରୀମାନେ ସିଙ୍ଗାପୁରରେ ପହଞ୍ଚିବେ ବୋଲି ଜଣାପଡ଼ିଛି।
ଯୋଗଦେବେ ନକଲି ଟ୍ରମ୍ପ-କିମ୍
ଓ୍ଵାସିଂଟନ: ସିଙ୍ଗପୁରର ସାଙ୍ଗ୍ରି ଲା’ ରିସର୍ଟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଣେ ନକଲି କିମ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ। କିଛିଦିନ ପୂର୍ବେ ସିଙ୍ଗାପୁରରେ ଯେଉଁ ବ୍ୟକ୍ତି ଉତ୍ତରକୋରିଆ ଶାସକ କିମ୍ ଜଙ୍ଗଙ୍କ ଉପସ୍ଥିତି ନେଇ ଭ୍ରମ ସୃଷ୍ଟି କରିଥିଲେ ହଂକଂର ସେହି ହଓ୍ଵାର୍ଡ ଏକ୍ସଙ୍କୁ ମଧ୍ୟ ସିଙ୍ଗାପୁର ଆସିବା ପାଇଁ ଆମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି। ସେହିଭଳି ଚଳିତମାସରେ ହାଓ୍ଵର୍ଡ ପ୍ୟୋଙ୍ଗଚାଙ୍ଗ ଓ୍ଵିଣ୍ଟର ଅଲମ୍ପିକ୍ସରେ ଟ୍ରମ୍ପଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସିଙ୍ଗାପୁର ଆମନ୍ତ୍ରଣ କରାଯାଇଛି।
କିମ୍ ‘ପରମାଣୁ ପାଗଳରୁ ହିରୋ ’
ଓ୍ଵାସିଂଟନ: ଏକଦା ପରମାଣୁ ପରୀକ୍ଷଣ ପାଇଁ ଅତ୍ୟନ୍ତ ପାଗଳ ଥିବା ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଥିଲେ। କେବଳ ପରମାଣୁ ନିଶା ହିଁ ତାଙ୍କୁ ସାରା ବିଶ୍ୱରେ ଏକ ଘାତକ ଦୃଷ୍ଟିରେ ଦେଖୁଥିଲା। କିନ୍ତୁ ସେହି ନିଶା ଛାଡ଼ି କିମ୍ ଏବେ ସାରା ବିଶ୍ୱରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ବୈଠକ ହେବା ନେଇ ଚର୍ଚ୍ଚା ଆରମ୍ଭ ହେବା ଦିନଠାରୁ ପ୍ରତିଦିନ ଚର୍ଚ୍ଚାରେ ରହୁଛନ୍ତି କିମ୍। ପ୍ରକୃତରେ ଉତ୍ତର କୋରିଆକୁ ବିଭିନ୍ନ ଦେଶର କଟକଣା, ଦେଶର ଅର୍ଥନୈତିକ ସଙ୍କଟ, ପଡୋଶୀ ଦେଶ ଗୁଡ଼ିକର ସହଯୋଗ ନମିଳିବା ଆଦି ପ୍ରସଙ୍ଗ କିମ୍ଜଙ୍ଗଙ୍କୁ ସୁଧୁରିବା ପାଇଁ ବାଧ୍ୟ କରିଥିବା ଚର୍ଚ୍ଚା ହେଉଛି।