ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ପୁଣିଥରେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପ୍ଙ୍କ ପ୍ରଥମ ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଥିବାରୁ ଏନେଇ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଟ୍ରମ୍ପ୍ କହିଛନ୍ତି, ଯଦି ଭାରତ ଏବଂ ପାକିସ୍ତାନ ଚାହିବେ ତେବେ ସେ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ଏବଂ କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଦୁଇ ଦେଶକୁ ସହଯୋଗ କରିବେ। ତେବେ ସେ କିଭଳି କଶ୍ମୀର ପ୍ରସଙ୍ଗରେ ସମାଧାନ କରିପାରିବେ ବୋଲି ପଚରାଯିବାରୁ ଟ୍ରମ୍ପ୍ କହିଥିଲେ, ଯଦି ସେମାନେ ଚାହିବେ ବେବେ ମୁଁ ପାରିବି। କିନ୍ତୁ ଭାରତ ସ୍ପଷ୍ଟଭାବେ ଜଣାଇ ଦେଇଛି ଯେ କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ। ବିଦେଶ ମନ୍ତ୍ରୀ ଜୟଶଙ୍କର ତାଙ୍କ ଆମେରିକୀୟ ପ୍ରତିପକ୍ଷ ମାଇକ ପମ୍ପିଓଙ୍କୁ କହିଛନ୍ତି କଶ୍ମୀର ପ୍ରସଙ୍ଗରେ ଆଲୋଚନା କେବଳ ଦ୍ବିପାକ୍ଷିକ ଭାବେ ପାକିସ୍ତାନ ସହ ହେବ। ଏଥିରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିବେ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ୍ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଏଥିନେଇ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁରୋଧ କରିଥିବା କହିଥିଲେ। ଏହାକୁ ନେଇ ଟ୍ରମ୍ପ୍ କଡ଼ା ସମାଲୋଚନାର ଶିକାର ହୋଇଥିଲେ ।
ମଧ୍ୟସ୍ଥତା ପାଇଁ ପୁଣି ଆଗ୍ରହ ପ୍ରକାଶ କଲେ ଟ୍ରମ୍ପ୍
ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲା ଭାରତ