ନୂଆଦିଲ୍ଲୀ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୋଟିଏ ପରେ ଗୋଟିଏ ଅନେକ ଜିନିଷ ଉପରେ ଶୁଳ୍କ ଲାଗୁ କରୁଛନ୍ତି। ଏଥର ସେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆବଶ୍ୟକୀୟ ଜିନିଷ ଉପରେ ଭାରୀ ଶୁଳ୍କ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ପ୍ରକୃତରେ, ଟ୍ରମ୍ପ୍ ପ୍ରଶାସନ ଔଷଧ ଉପରେ ଭାରୀ ଶୁଳ୍କ ଲାଗୁ କରିବାକୁ ଚିନ୍ତା କରୁଛି।
ଏକ ରିପୋର୍ଟ ଅନୁଯାୟୀ, କିଛି ଔଷଧ ଉପରେ ୨୦୦% ପର୍ଯ୍ୟନ୍ତ ଟିକସ ଲାଗୁ କରିବାକୁ ଆଲୋଚନା ହେଉଛି। ଟ୍ରମ୍ପ୍ ଚାହୁଁଛନ୍ତି ଯେ, ଅଟୋ ଏବଂ ଷ୍ଟିଲ୍ ଭଳି ଜିନିଷ ଉପରେ ଲାଗୁ ହୋଇଥିବା ଟିକସ ଔଷଧ ଉପରେ ମଧ୍ୟ ଲାଗୁ କରାଯାଉ। ଯଦି ଏହା ହୁଏ,ତେବେ ଦଶନ୍ଧି ପୁରୁଣା ନୀତି ବିରୁଦ୍ଧରେ ହେବ। ଯେଉଁଥିରେ ଅନେକ ଔଷଧ ବିନା ଟିକସରେ ଆମେରିକା ପଠାଯାଉଥିଲା। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି।। ବିଶେଷଜ୍ଞମାନଙ୍କ ଅନୁସାରେ, ଏହା ଯୋଗୁ ଔଷଧର ମୂଲ୍ୟ ବୃଦ୍ଧି ହୋଇପାରେ। ଏହା ସହିତ ଯୋଗାଣରେ ସମସ୍ୟା ସୃଷ୍ଟି ହେବ। ସେହିପରି, ଔଷଧର ଅଭାବ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି।
ଟ୍ରମ୍ପ୍ ଔଷଧ ଉପରେ ୨୦୦% ଟିକସ ଲାଗୁ କରିବା ପାଇଁ ୧୯୬୨ର ବାଣିଜ୍ୟ ପ୍ରସାରଣ ଆଇନର ଧାରା ୨୩୨ର ଲାଗୁ କରି ବାକୁ କହୁଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ସମୟରେ ଔଷଧର ଅଭାବ ଥିଲା। ତେଣୁ, ଏବେ ଘରୋଇ ଉତ୍ପାଦନ ବୃଦ୍ଧି କରିବା ଆବଶ୍ୟକ।
ଆମେରିକା ଏବଂ ୟୁରୋପ ମଧ୍ୟରେ ହୋଇଥିବା ଏକ ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିରେ, ଔଷଧ ସମେତ କିଛି ୟୁରୋପୀୟ ସାମଗ୍ରୀ ଉପରେ ୧୫% ଟିକସ ଲାଗୁ କରାଯାଇଛି। ଟ୍ରମ୍ପ୍ ପ୍ରଶାସନ ଅନ୍ୟ ଦେଶରୁ ଆସୁଥିବା ଔଷଧ ଉପରେ ଆହୁରି ଅଧିକ ଟିକସ ଲାଗୁ କରିବାକୁ ଧମକ ଦେଇଛି।
ଯଦି ଟ୍ରମ୍ପ୍ ଔଷଧ ଉପରେ ୨୦୦% ଶୁଳ୍କ ଲାଗୁ କରନ୍ତି, ତେବେ ଏହା ଆମେରିକାରେ ଔଷଧ କିଣୁଥିବା ଲୋକଙ୍କ ଉପରେ ପ୍ରଭାବ ପକାଇବ। ଆନଜିର ଡିଡ୍ରେକ୍ ଷ୍ଟାଡିଗ୍ ଗତ ମାସରେ କହିଥିଲେ ଯେ, ଟିକସର ସବୁଠାରୁ ବଡ଼ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ। ଔଷଧ କିଣିବା ସମୟରେ ସେମାନଙ୍କୁ ସିଧାସଳଖ ମହଙ୍ଗ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ସେହିପରି ପରୋକ୍ଷ ଭାବରେ ବୀମା ପ୍ରିମିୟମ କ୍ଷେତ୍ରରେ ସମସ୍ୟା ମଧ୍ୟ ସୃଷ୍ଟି ହେବ।
ସେ କହିଛନ୍ତି, ଏହା ଦ୍ବାରା ନିମ୍ନ ଆୟକାରୀ ଏବଂ ବୟସ୍କ ରୋଗୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ। ଷ୍ଟାଡିଗ କହିଛନ୍ତି, ୨୫% ଟିକସ ଲାଗୁ ହେଲେ ମଧ୍ୟ ଆମେରିକାରେ ଔଷଧର ମୂଲ୍ୟ ୧୦ ରୁ ୧୪% ବୃଦ୍ଧି ପାଇପାରେ। କାରଣ ଷ୍ଟକ୍ ସରିଯିବ। ସ୍ଥିର ଆୟକାରୀ ଲୋକଙ୍କ ପାଇଁ ଏହା ଏକ ବଡ଼ ସଙ୍କଟ ସୃଷ୍ଟି କରିବ।
ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଔଷଧ ଜେନେରିକ୍। ଖୁଚୁରା ଏବଂ ମେଲ୍-ଅର୍ଡର ଫାର୍ମାସିରେ ବିକ୍ରି ହେଉଥିବା ପ୍ରାୟ ୯୨% ଔଷଧ ଜେନେରିକ୍। ଜେନେରିକ୍ ଔଷଧ ନିର୍ମାତାମାନେ କମ୍ ଲାଭରେ କାରବାର କରିଥାନ୍ତି ଏବଂ ଅଧିକ ଟିକସ ଦେଇପାରିବେ ନାହିଁ। ବିଶ୍ଳେଷକମାନେ କହିଛନ୍ତି ଯେ, କିଛି କମ୍ପାନି ଟିକସ ଦେବା ପରିବର୍ତ୍ତେ ଆମେରିକା ବଜାର ଛାଡ଼ି ପାରନ୍ତି।
ଭାରତ ମଧ୍ୟ ଜେନେରିକ୍ ଔଷଧର ଏକ ବଡ଼ ଯୋଗାଣକାରୀ। ଭାରତରୁ ଆସୁଥିବା ଔଷଧ ଶସ୍ତା ହୋଇଥିବାରୁ ଆମେରିକା ସରକାର ଭାରତୀୟ ଔଷଧ କମ୍ପାନିଗୁଡ଼ିକୁ ଟିକସରୁ ମୁକ୍ତ କରିଛନ୍ତି। ବାସଭ କ୍ୟାପିଟାଲର ସହ-ପ୍ରତିଷ୍ଠାତା ସନ୍ଦୀପ ପାଣ୍ଡେଙ୍କ ଅନୁଯାୟୀ, ଆମେରିକାରେ ଔଷଧ ଆମଦାନୀରେ ଭାରତର ଅଂଶ ପ୍ରାୟ ୬%।
ଆମେରିକୀୟ ନୀତି ନିର୍ଦ୍ଧାରକମାନେ ଜାଣନ୍ତି ଯେ, ସେମାନଙ୍କର ବ୍ୟବସ୍ଥା ଭାରତୀୟ ଯୋଗାଣ ଉପରେ ନିର୍ଭରଶୀଳ। କିଛି ବର୍ଷ ପୂର୍ବେ, ଭାରତର ଏକ କାରଖାନାରେ ଔଷଧ ଉତ୍ପାଦନ ବନ୍ଦ ହୋଇଯାଇଥିଲା, ଯାହା ଫଳରେ ଆମେରିକାରେ କେମୋଥେରାପିର ଅଭାବ ଦେଖାଦେଇଥିଲା। ଏପରି ପରିସ୍ଥିତିରେ, ଭାରତରୁ ଆସୁଥିବା ଔଷଧଗୁଡ଼ିକ ଉପରେ ବର୍ତ୍ତମାନ ଟିକସ ଲାଗୁ ହୋଇପାରିବ ନାହିଁ। କାରଣ ଭାରତୀୟ ଔଷଧଗୁଡ଼ିକ ଶସ୍ତା ଏବଂ ଆମେରିକାର ଲୋକଙ୍କ ପାଇଁ ଆବଶ୍ୟକ।
India | USA | donald-trump | tariff-war