ନୂଆଦିଲ୍ଲୀ: ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ଆମେରିକା କଠୋର ପଦକ୍ଷେପ ନେଇଛି। ଚୀନ୍ର ସୋସିଆଲ ମିଡିଆ ଆପ୍ ଟିକ-ଟକ ଉପରେ ଆମେରିକା ୪୫ଦିନିଆ ପ୍ରତିବନ୍ଧକ ଲଗାଇଛି। ଟିକ-ଟକ ଚଳାଉଥିବା ଚାଇନାର ବାଇଟ୍ ଡାନ୍ସ ଏହାକୁ ୪୫ଦିନରେ ବିକ୍ରି କରିବା ଉଚିତ୍। ନଚେତ୍ ୪୫ଦିନ ପାଇଁ ଏହି ପ୍ରତିବନ୍ଧକ ରହିବ ବୋଲି ସ୍ପଷ୍ଟ କରିଛନ୍ତି ଟ୍ରମ୍ପ ସରକାର | ଯଦି ବାଇଟ୍ ଡାନ୍ସ ୪୫ଦିନ ମଧ୍ୟରେ ଆପକୁ ବିକ୍ରି କରୁଛି, ତେବେ ଆପର ବ୍ୟବହାର ଉପରୁ ପ୍ରତିବନ୍ଧକ ହଟାଇ ଦିଆଯିବ ବୋଲି କୁହାଯାଇଛି। ଏହା ସହ ୪୫ଦିନ ପାଇଁ ଚାଇନିଜ୍ କମ୍ପାନି ବାଇଟ୍ ଡାନ୍ସ ଏବଂ ଟେନ୍ସେଣ୍ଟ ସହିତ କୌଣସି ପ୍ରକାରର ଆମେରିକୀ ଦେଣନେଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କାର୍ଯ୍ୟକାରୀ ଆଦେଶ ଜାରି କରିଛନ୍ତି ଟ୍ରମ୍ପ ସରକାର।
/sambad/media/post_attachments/1e1c56ebb5f9b4e5e690b84182651296f82019b9715213be1d9e1b57a09f93fd.jpg)
ଏହି ଆଦେଣ ଅନୁସାରେ ଟ୍ରମ୍ପ ପ୍ରଶାସନ କହିଛି ଯେ, ସର୍ଟ-ଭିଡିଓ ଆପ୍ ଟିକ-ଟକ ଏବଂ ମେସେଞ୍ଜର ଆପ୍ ୱିଚାଟ ଦ୍ବାରା ଚୀନ ତଥ୍ୟ ଚୋରି କରୁଥିବା ଜଣା ପଡ଼ିବା ପରେ ଏହି ସପ୍ତାହରେ ଆମେରିକାର ଡିଜିଟାଲ ନେଟୱାର୍କରୁ “ଅବିଶ୍ୱସନୀୟ” ଚାଇନିଜ୍ ଆପ୍ସକୁ ହଟାଇବା ପାଇଁ ଉଦ୍ୟମ ଜୋରଦାର କରିଥିଲା। ଟ୍ରମ୍ପଙ୍କ କହିବା ମୁତାବକ, ଚାଇନାର କମ୍ୟୁନିଷ୍ଟ ପାର୍ଟି ନିଜ ଲାଭ ପାଇଁ ଟିକ୍-ଟକକୁ ବ୍ୟବହାର କରି ଆମେରିକୀୟ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରୁଥାଇପାରେ। ତେଣୁ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିକ୍-ଟକର ମାଲିକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ | ୱିଚାଟ ଆପ୍ "ସ୍ୱୟଂଚାଳିତ ଭାବରେ ଏହାର ଉପଭୋକ୍ତାମାନଙ୍କ ଠାରୁ ବହୁ ତଥ୍ୟ ହାସଲ କରୁଛି। ଏହି ତଥ୍ୟ ସଂଗ୍ରହ ଚାଇନାର କମ୍ୟୁନିଷ୍ଟ ପାର୍ଟିକୁ ଆମେରିକୀୟଙ୍କ ବ୍ୟକ୍ତିଗତ ତଥା ମାଲିକାନା ସୂଚନାକୁ ପାଇବାରେ ଅନୁମତି ଦେବ।"
ଆମେରିକୀୟଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ପ୍ରଯୁଜ୍ୟ ଆଇନ୍ ଅନୁଯାୟୀ ଆମେରିକାରେ ୪୫ଦିନ ପାଇଁ ୱିଚାଟ ଏବଂ ଟିକ୍-ଟକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅନ୍ୟ ପକ୍ଷରେ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ଉପରେ ଟେନସେଣ୍ଟ ଏବଂ ବାଇଟ୍ ଡାନ୍ସ କିଛି କହିବାକୁ ମନା କରି ଦେଇଛନ୍ତି।